Unknown

 

 

 

 

 

 

 

 

ମିଳନ-ମାଧୁରୀ

ନାଟକ

ଶ୍ରୀ ବୈଷ୍ଣବ ଚରଣ ଦାସ

 

ଲୀଳା ବିନୋଦକାରୀମାନଙ୍କ ପରିଚୟ

 

ପୂର୍ଣ୍ଣମାସୀ

ଯୋଗମାୟା (ଅଘଟନ ଘଟନକାରିଣୀ)

ଶ୍ରୀକୃଷ୍ଣ

ନନ୍ଦନନ୍ଦନ (ସ୍ୱୟଂ ଗୋଲୋକେଶ୍ୱର)

ସୁବଳ

ଶ୍ରୀକୃଷ୍ଣଙ୍କ ପ୍ରିୟ ନର୍ମ୍ମ ସଖା

ମଧୁମଙ୍ଗଳ

ଶ୍ରୀକୃଷ୍ଣଙ୍କ ଅନ୍ତରଙ୍ଗ ସଖା

ଶ୍ରୀରାଧା

ବୃଷଭାନୁରାଜାଙ୍କ ଜେମା (ଶ୍ରୀକୃଷ୍ଣଙ୍କହ୍ଲାଦିନୀ ଶକ୍ତି)

ଲଳିତା

ଶ୍ରୀରାଧାଙ୍କ ଅନ୍ତରଙ୍ଗା ସଖୀ ୧ ମ

ବିଶାଖା

ଶ୍ରୀରାଧାଙ୍କ ପ୍ରିୟନର୍ମ୍ମ ସଖୀ ୨ ୟ

ଚିତ୍ରା

ଶ୍ରୀରାଧାଙ୍କ ପ୍ରିୟସଖୀ ୩ ୟ

ଚମ୍ପକଲତା

ଶ୍ରୀରାଧାଙ୍କ ପ୍ରିୟସଖୀ ୪ ର୍ଥ

ଇନ୍ଦୁରେଖା

ଶ୍ରୀରାଧାଙ୍କ ପ୍ରିୟସଖୀ ୫ ମ

ତୁଙ୍ଗବିଦ୍ୟା

ଶ୍ରୀରାଧାଙ୍କ ପ୍ରିୟସଖୀ ୬ଷ୍ଠ

ସୁଦେବୀ

ଶ୍ରୀରାଧାଙ୍କ ପ୍ରିୟସଖୀ ୭ମ

ରଙ୍ଗଦେବୀ

ଶ୍ରୀରାଧାଙ୍କ ପ୍ରିୟସଖୀ ୮ମ

ବୃନ୍ଦା

ଶ୍ରୀରାଧା କୃଷ୍ଣଙ୍କ ଦୂତୀ

କୁନ୍ଦଲତା

ଶ୍ରୀକୃଷ୍ଣଙ୍କ ଭ୍ରାତୃଜାୟା

ଲବଙ୍ଗମଞ୍ଜରୀ

ଶ୍ରୀରାଧାଙ୍କ ଉପସଙ୍ଗିନୀ

ଅନଙ୍ଗମଞ୍ଜରୀ

ଶ୍ରୀରାଧାଙ୍କ କନିଷ୍ଠା ଭଗିନୀ

ତୁଲସୀମଞ୍ଜରୀ

ବୃନ୍ଦାଦେବୀଙ୍କ ପରିଚାରିକା

ଲୀଳାନିଧି

ଶ୍ରୀକୃଷ୍ଣଙ୍କ ହାସ୍ୟକାରିଣୀ ଓ ଶ୍ରୀରାଧାଙ୍କ ପ୍ରିୟସଖୀ

Image

 

ପ୍ରଥମ ଅଙ୍କ

 

ପ୍ରଥମ ଦୃଶ୍ୟ – ପ୍ରେମ ସରୋବର ତୀର

ଭଗବତୀ ପୌର୍ଣ୍ଣମାସୀଙ୍କ ପ୍ରବେଶ

 

ପୂର୍ଣ୍ଣମାସୀ

ଯୁବତୀ ଚିତ୍ତଚୋର ବୃନ୍ଦାବନ ଚନ୍ଦ୍ର ଆଜି ରାଧାପ୍ରେମରେ ମହାପାଗଳ, ସେ ବନଦେବୀ ବୃନ୍ଦାକୁ ଦୂତୀ କରି ରାଧା ନିକଟକୁ ପଠାଇଛନ୍ତି, ରାଧା ତେଣେ ଗତ ରାତ୍ରର ସ୍ୱପ୍ନକୁ ଚିନ୍ତା କରି କଳାକାହ୍ନୁଙ୍କୁ ଝୁରି ହେଉଛି, ତା ମନରେ ପୁଣି କଣ ଭାବି ହସୁଛି, କାନ୍ଦୁଛି, ଫୁଲ ତୋଳୁଛି, ଜାଣିଲି ଏହା ଗାଢ଼ ପ୍ରେମର ଲକ୍ଷଣ, ମୁଖରା ବୁଢ଼ୀ ଠାରୁ ରାଧାର ଅବସ୍ଥା ଶୁଣିଲା ବେଳୁ କିଞ୍ଚିତ ଭାବନାଶୀଳା ଥିଲି; ଏବେ ସେ ଭ୍ରମ ଦୂର ହେଲା, ମୁଁ ତ ଯୁଗଳ ମିଳନର ମୁଳ କାରଣ, ଚିନ୍ତା କରୁଛ କିଆଁ ? ଯାବଟକୁ ଯାଇ ପ୍ରେମମୟୀର ଉତ୍କଣ୍ଠା ବଢ଼ାଇବି । ଆଉ ମଧ୍ୟ ଲଳିତା, ବିଶାଖା, ଚିତ୍ରା, ଚମ୍ପକଳତା, ରଙ୍ଗଦେବୀ, ସୁଦେବୀ, ଇନ୍ଦୁରେଖା, ତୁଙ୍ଗବିଦ୍ୟା, କୁନ୍ଦଲତା ଓ ଅନଙ୍ଗମଞ୍ଜରୀ ପ୍ରଭୃତି ସଖିମାନଙ୍କ ସଙ୍ଗେ ରାଧା ଯେପରି କୁଞ୍ଜାଭିସାରଣୀ ହେବ ତାହାର ଚେଷ୍ଟା କରିବି । ଯାଏଁ (ପ୍ରସ୍ଥାନ)

 

 

ସୁବଳ ଓ ମଧୁମଙ୍ଗଳଙ୍କ ପ୍ରବେଶ

ସୁବଳ

(ଶ୍ରୀକୃଷ୍ଣଙ୍କୁ ଅନ୍ୱେଷଣ କରି) କାହ୍ନୁ ଭାଇ ହୋ ! କାହ୍ନୁ ଭାଇ ! କେଉଁଠି ଅଛ କିହୋ ! କେତେବେଳୁତ ଆମମାନଙ୍କ ସଙ୍ଗ ଛାଡ଼ି ଚାଲି ଆସିଛ, କୁଆଡ଼େ ଅଛ ଭଲା ଦେଖା ଦିଅ ।

ମଧୁମଙ୍ଗଳ

ସୁବଳ ! ଆଉ ଏତେ ଖୋଜିପାରିବା ନାହିଁ, ଆସ ଆସ ଲେଉଟି ଯିବା, ସେ ରାଧା ପ୍ରେମପାଗଳଟାତ ରାଧା ରାଧା ହୋଇ କେଉଁଠି ଜ୍ଞାନ ହରାଇ ପଡ଼ିଯିବଣି, ତା’ର କଣ ଖୋଜଖବର ମିଳିବ ? ଆସ ଯମୁନାକୂଳକୁ ଯାଇ ଗାଈମାନଙ୍କୁ ପାଣି ପିଆଇବା । କାହ୍ନୁ କାହ୍ନୁ ହୋଇ ଆଉ କଲବଲ ହେବା ଆବଶ୍ୟକ ନାହିଁ ।

ସୁବଳ

ଭାଇ ମଧୁ ! ତୁମ୍ଭେ ସିନା କଠିନ ହୃଦୟ, ମୁଁ ତ କୃଷ୍ଣଙ୍କୁ ନ ଦେଖିଲେ ପ୍ରାଣଧରି ରହିପାରିବି ନାହିଁ ! ଚାଲ ଏ ବନଯାକ ଖୋଜିବା, ନଇଲେ ତୁମ୍ଭେ ଗଲେ ଯାଅ ପଛକେ ମୁଁ ଏକା ଏକା କାହ୍ନୁ ଭାଇକି ଖୋଜିବି ।

ନେପଥ୍ୟେ

(ବଂଶୀ ଧ୍ୱନି)

ମଧୁମଙ୍ଗଳ

ସୁବଳ ! ଶୁଣ, ଶୁଣ, ସେହି ତମାଳକୁଞ୍ଜ ଆଡ଼େ କାହ୍ନୁ ବଂଶୀ ବାଉଚି, ଆସ ଆସ ସେଠାକୁ ଯିବା ଚଞ୍ଚଳ ଆସ । (ପ୍ରସ୍ଥାନ)

ପଟ୍ଟପରିବର୍ତ୍ତନ

Image

 

ଦ୍ଵିତୀୟ ଦୃଶ୍ୟ ଶ୍ରୀରାଧାଙ୍କ ପୁଷ୍ପବାଟିକା

(ସଖିଗଣ ବେଷ୍ଟିତା ଶ୍ରୀରାଧା ବସି ଫୁଲ ଗୁନ୍ଥୁଥିବା)

 

ଶ୍ରୀରାଧା

(ଫୁଲ ଗୁନ୍ଥୁ ଗୁନ୍ଥୁ) ସଖି ଲାଳିତେ ! ଆଜି ମୁଁ ଗୋଟିଏ ସପ୍ନ ଦେଖିଚି, ତାହା କହିବି ଶୁଣିବ ?

ଲଳିତା

କହୁନାଅଁ କି ସପ୍ନ ଦେଖିଚ ରାଧେ !

ଶ୍ରୀରାଧା

ସଖି ! ମୁଁ ଏଇ ସ୍ୱପ୍ନ ଦେଖିଲି ଯେ, ନାଟୁଆ ନୀଳମଣିଙ୍କ ତୁଲେ ଆମେମାନେ ସମସ୍ତେ ଫଗୁ ଖେଳୁଚେଁ । ଆଉ ସୁବାସିତ ଲାଲ ଜଳରେ ପିଚକାରୀ ମରାମରି ହଉଚେଁ, ପୁଣି ଫୁଲହାରରେ ତାଙ୍କୁ ମଣ୍ଡଣି କରି ହୁଳହୁଳି ଦେଉଚେଁ, ଏହି ସମୟରେ ମୋ ନିଦ ଭାଙ୍ଗିଗଲା । ଆହା ! କି ସୁନ୍ଦର ସପ୍ନଟିଏ ଦେଖୁଥିଲି ? ସଖି ! ଏ ସପ୍ନଟି ଭଲ କି ମନ୍ଦ କହିଲ ?

ବିଶାଖା

ହଇ ଗୋ ! ହୃଦୟନିଧି ଶ୍ୟାମସୁନ୍ଦରଙ୍କୁ ଯେତେବେଳେ ସ୍ୱପ୍ନ ଦେଖିଚ, ୟା ମନ୍ଦ ହେବ କାଇଁକି, ଏ ଶୁଭ ସ୍ୱପ୍ନ ।

ଲଳିତା

ରାଧେ ! ମୁଁ ଜାଣିପାରୁଚି ଆଜି ବନମାଳୀଙ୍କ ସଙ୍ଗେ ଶୁଭମିଳନ ହେବ, ଆଜି ବାଧା ବିଘ୍ନ କିଛି ଘଟିବ ନାହିଁ ।

ଶ୍ରୀରାଧା

ତେବେ ଚଞ୍ଚଳ ଫୁଲଗୁନ୍ଥା ସାର, ତାଙ୍କ ଦର୍ଶନକୁ ଯିବା ।

ବିଶାଖା

ଏଥିରେ ଆଉ ହେଳା ଅଛି ସଖି ! ଆମେମାନେ ପରା ଜାଣି ଜାଣି ଆଜି ବହୁତ ଗୁଡ଼ିଏ ଫୁଲ ତୋଳିଚୁଁ ।

ନେପଥ୍ୟେ

(ବୃନ୍ଦାଙ୍କ ନୂପୁର ଧ୍ଵନି)

ଶ୍ରୀରାଧା

(ସେହି ଦିଗକୁ କର୍ଣ୍ଣଡ଼େରି) ସଖି ! ରହ ରହ, କିଏ ଆସୁଚି

ଲଳିତା

(ତେଣେ ଚାହିଁ) ଧନୀ ! ସୁଯୋଗକୁ ବୃନ୍ଦା ଆସିଲେଣି ।

 

 

ବୃନ୍ଦାଙ୍କର ପ୍ରବେଶ

ଶ୍ରୀରାଧା

ବୃନ୍ଦେ ! କେଉଁଠାରୁ ଆସିଲ ?

ବୃନ୍ଦା

ତମାଳ ନିକୁଞ୍ଜ ଠାରୁ

ଶ୍ରୀରାଧା

ସଖି ! ଆଜି କୃଷ୍ଣଙ୍କ ସହିତ ତମର ଦେଖା ହୋଇଚି ତ ?

ବୃନ୍ଦା

ହଁ ଦେଖା ହେଇଚି, ମୁଁ ପରା ତାଙ୍କରି ଲାଗି ତୁମ ନିକଟକୁ ଆସିଚି ।

ଶ୍ରୀରାଧା

ତାଙ୍କରି ଲାଗି ? ଆହା ! ବୃନ୍ଦେ ଗୋ ! ଏ ହତଭାଗିନୀ କୁରୁପିଣୀ ଦୀନହୀନା ପାଖକୁ ତମକୁ ସେ ପଠାଇଛନ୍ତି ? ସଖି ! ତାଙ୍କ ମନରେ ସତେ ଏ କିଙ୍କରୀ କଥା ଭାବୁଛନ୍ତି ?

ବୃନ୍ଦା

ଭାବମୟି ରାଧେ ଗୋ ! ତା’ କଣ କହୁଚ, ସେ ତମରି ଯିବା ପଥକୁ ଚାହିଁ ଚାହିଁ ଘନକୁ ଚାତକ ଭଳି ହେଲେଣି ।

ଆଗୋ ଭାବମୟି ! ଆଗୋ ଭାବମୟି ।

ଶୁଣ ଶୁଣ ଭାନୁ ଜେମାଦେଇ ।

ଘନକୁ ଚାତକ ଭଳି ଘନଶ୍ୟାମ ତୋ ଯିବା ପଥକୁ ଚାହିଁ ଚାହିଁ । ପଦ ।

 

ସେବତୀ ଫୁଲକୁ ଅଳି ଚୁମ୍ୱିବାର ଦେଖି ସେ ମୋହନ ବନମାଳୀ ।

କିସ ମନେ ଭାଳି ନେତ୍ରୁ ନୀର ଢାଳି ବସିଛନ୍ତି ଦୁଃଖେ ପ୍ରିୟ ଆଳୀ-

ଆଗୋ ଭାବମୟି । ଆଗୋ ଭାବମୟି ।

ତୋ ହୃଦରତନ ସେ ମାଧୋଇ ।

ଧ୍ୟାଉଛନ୍ତି ତୋର ଗୁଣ ଗାଉଛନ୍ତି ମୋହନବଂଶୀ ଅଧରେ ଦେଇ ।୧। (ବ୍ରଜବାସୀ)

ଶ୍ରୀରାଧା

ସଖି ! ନୀଳମଣିଙ୍କର ଆଉ ସବୁ କୁଶଳ ତ ?

ବୃନ୍ଦା

ରାଧେ ! ତାଙ୍କ କୁଶଳ କଥା କହୁଚି ଶୁଣ–

 

 

ସେ ତମରି ରୂପ ଗୁଣକୁ ଝୁରି ଝୁରି ଝାଉଁଳିଲା ନବୀନ-ତମାଳ ପରି ତେଜହୀନ ହୋଇଗଲେଣି, ମୁଗ୍ଧେ! ତମ ଅଭିସାର ନିମନ୍ତେ ମତେ ସେ କେତେ ରୂପେ ପ୍ରାର୍ଥନା କରି ପଠେଇଛନ୍ତି, ତେମେ ସୁସମୟରେ ଅଭିସାର କରି ତାଙ୍କ ଦୁଃଖ ଯାତନା ହରଣ କର, ଦେଖ ରାଧେ ! ଆଜି ବାସନ୍ତୀ ପୂର୍ଣ୍ଣମୀରେ ମନ୍ଦ ମନ୍ଦ ହୋଇ ଦକ୍ଷିଣ ଦିଗରୁ କିପରି ମଳୟ ପବନ ବହୁଚି, ଆଉ ମୋନହର ପୁଷ୍ପ ଗନ୍ଧରେ ଚତୁର୍ଦ୍ଦିଗ ଆମୋଦିତ ହେଉଚି; କୋଇଲି ସ୍ୱନ କି ସୁନ୍ଦର କୁହୁ କୁହୁ ନାଦରେ ହୃଦୟକୁ ପୁଲକିତ କରେଇ ଦେଉଚି, ପୁଣି ଶୁଣ, ଭ୍ରମରମାନଙ୍କ ଝଙ୍କାର ନିନାଦ ମଙ୍ଗଳ ଶଙ୍ଖପରି ପରତେ ହେଉଚି, ପ୍ରେମମୟି ! ଆଜି ଶୁଭମୁହୂର୍ତ୍ତରେ ନିକୁଞ୍ଜବିହରୀଙ୍କ ନିକଟକୁ ଅଭିସାରିଣୀ ହୁଅ ।

ଗୀତ

 

କୁଞ୍ଜେ ବିଜୟେ ଗୋ କର କୁଞ୍ଜଗାମିନୀ ।

 

ବାଜୁ କିଣି କିଣି କଟୁ ରତନ କିଙ୍କିଣୀ ।ଘୋଷା।

 

ତୁଙ୍ଗ ବିଦ୍ୟା ଡମ୍ଫବାଜା ସଧୀରେ ବଜାଉ ଗୋ ।

 

ରଙ୍ଗେ ନାଚୁ ରଙ୍ଗଦେବୀ ସୁଦେବୀକା ଗାଉ ।୧।

 

ନାନା ନୃତ୍ୟ ଗୀତ ରସ ବିଳାସ ପ୍ରକଟୁ ଗୋ ।

 

ବନ, ଘନ, ଦିଗ, ଦିଗାନ୍ତର ପୂରିଉଠୁ ।୨।

 

ଗୋରୀ ଚନ୍ଦ୍ରମୂଖୀ ରାଧେ ସରୋଜନୟନୀ ଗୋ ।

 

କନ୍ଦର୍ପ ମୋହିନୀ ରମ୍ଭା ଉରୁ ନିତମ୍ବିନୀ ।୩।

 

ରାଧେ ରସବତୀ ପ୍ରେମାମୃତ ଉଦ୍‍ଗାରିଣୀ ଗୋ ।

 

ବିଜେକର ବୃନ୍ଦାବନେ ଏ ବୃନ୍ଦାବାଣ, ଘେନି ।୪। (୰ଶ୍ରୀ ଚନ୍ଦନ)

ଲଳିତା

ବୃନ୍ଦେ ! କୁଞ୍ଜକୁ ତ ଅଭିସାର କରିବାକୁ କହୁଚ, ଆଉ ଠକ ଚିନ୍ତାମଣିଙ୍କ ଠକାଇ ପାଲରେ ଆମ ରାଧା ପଡ଼ିଯିବେ ନାହିଁ ତ ? ସେ ଯେ ଶଠମାନଙ୍କର ଗୁରୁ ।

ବୃନ୍ଦା

ସଖି ! ଶଠଙ୍କ ଗୁରୁବୋଲି ଯାହା କହିଲ ତା ସତ, କିନ୍ତୁ ଆଜି ସେ ଭାବ ଘଟିବା ଅସମ୍ଭବ, କାରଣ, ଦେବୀ ପୌର୍ଣ୍ଣମାସୀ ମୋତେ ଏକଥା ଭଲରୂପେ ବୁଝେଇ ଦେଇଛନ୍ତି, ଆଜି ରାଧାମାଧବଙ୍କର ନିମିଷେ ମାତ୍ର ବିଚ୍ଛେଦ ଘଟିବ ନାଇଁ, ତେମେ ମୋ କଥାକୁ ବିଶ୍ୱାସ କର ।

ଲଳିତା

ବନଦେବୀ ! ତୁମ କଥାକୁ କିଏ କେବେ ଅବିଶ୍ୱାସ କରିଥାଏ କି ? ଆଜି ଶୁଭମିଳନରେ ବାଧା ବିଘ୍ନ କିଛି ନ ଘଟିବ, ତେବେ କାତ୍ୟାୟିନୀ ମହାମୟୀଙ୍କ ନିକଟରେ କାଲି ଖୁବ୍ ଭୋଗରାଗ କରିବା । ଏବେ ଅଭିସାର ବିଧାନର ଦ୍ରବ୍ୟ ତେବେ କାତ୍ୟାୟିନୀ ମହାମାୟୀଙ୍କ ନିକଟରେ କାଲି ଖୁବ୍‍ ଭୋଗରାଗ କରିବା-। ଏବେ ଅଭିସାର ବିଧାନର ଦ୍ରବ୍ୟଗୁଡ଼ିକ ସଜାଡ଼ିବା ଆସ ।

 

 

 

ବିଶାଖା

ଚାଲ ଗୋ ! ଶୁଭକାର୍ଯ୍ୟରେ ହେଳା କରିବା ଆବଶ୍ୟକ ନାହିଁ; ଚାଲ; ଚାଲ, ଶୀଘ୍ର ଚାଲ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

Image

 

ତୃତୀୟ ଦୃଶ୍ୟ – ତମାଳ କୁଞ୍ଜ

(ଶ୍ରୀକୃଷ୍ଣ ବଂଶୀ ଧରି ରାଧା ନାମ ଗାନକରୁଥିବା)

ଗୀତ

ରାଧା ନାମାମୃତ କର ପାନରେ ଭୁଲାମନ !

ରାଧାନାମ ଗାନେ ଲଗା ଧ୍ୟାନରେ ଭୁଲାମନ ! ।ଘୋଷା।

ରାଧା ରୂପର ମାଧୁରୀ ସେତ ଅପରୂପ ଶିରୀ,

ନାହିଁ ନାହିଁ ଏ ତିନି ଭୁବନରେ ।୧।

ରାଧା ମୋ ଜୀବ ଜୀବନ, ରାଧା ମୋ ସର୍ବସ୍ୱ ଧନ,

ରାଧା ମୋ ଭଜନ ପୂଜନ ରେ ।୨।

ରାଧା ଶୟନେ ସ୍ୱପନେ, ରାଧା ଭବନେ ବିପନେ,

ରାଧାମୟ ଦେଖେ ମୋ ନୟନ ରେ ।୩।

(ସୁବଳ, ମଧୁମଙ୍ଗଳଙ୍କ ପ୍ରବେଶ)

ମଧୁମଙ୍ଗଳ

ଦେଖ ହୋ ଦେଖ ! ନାରୀ ମନଚୋରା ତ ଏଇଠି ଆମ୍ଭେ ବନଯାକ ଖୋଜି ଖୋଜି ଏତେ ହଇରାଣ ହେଉଛେଁ, ଯେ କେଉଁଠି ପାଇବା ? (ଶ୍ରୀକୃଷ୍ଣଙ୍କୁ) ହଇ ହେ ଶଠଶିରୋମଣି ! ଏଠି ଏକା ଏକା ବସି କଣ ଗୁଣୁଗୁଣୁ ହେଉଛ ? କେଉଁ ଯୁବତୀ ତୁମ୍ଭ ଚିତ୍ତ ଭିତରେ ଲାଖି ରହିଛି କି ? କଅଣତ ରା ରା ରା ରା ଖାଲି ଜପିଲାଗିଛ ହୁଁ–ଜଣାଗଲା, ଜଣାଗଲା ।

 

 

(କରତାଳି)

ଶ୍ରୀକୃଷ୍ଣ

ବଟୁ ! ତୁମ୍ଭେ ଏ ଥଟା କଣ ଛାଡ଼ିବ ନାହିଁ ?

 

 

ମୋର ଦୁଃଖବେଳେ ମଧ୍ୟ କରତାଳି ମାରି ଆନନ୍ଦ ହେଉଛ ?

ମଧୁମଙ୍ଗଳ

ତୁମ୍ଭର ପୁଣି ଦୁଃଖଟାଏ କାହୁଁ ଆସିଲା ? ତୁମ୍ଭେ ପରା ସଚ୍ଚିଦାନନ୍ଦମୟ ?

ଶ୍ରୀକୃଷ୍ଣ

ତା ସତ, କିନ୍ତୁ ରାଧାରୂପ ଅଦର୍ଶନରୁ ଘୋର ଦୁଃଖରେ ପତିତ ହୁଏଁ, ମୋ ଆନନ୍ଦଦାୟିନୀ ବିନା ସବୁ ଅନ୍ଧକାର ଦେଖୁଚି ସଖା !

ମଧୁମଙ୍ଗଳ

ବୋଧହୁଏ ରାଧା ତମ ଆଖିରେ ଅନ୍ଧପୁଟୁଳି ବାନ୍ଧିଦେଇଛି । ସେଇତି ଲାଗି ଆଖି ଥାଉଁ ଥାଉଁ ଅନ୍ଧ ହୋଇ ସାରିଲାଣି ।

ସୁବଳ

ବଟୁ ପୁଣି ସେଇ ଥଟା କରିବାରେ ଅଛ ?

 

 

(ଶ୍ରୀକୃଷ୍ଣଙ୍କ ପ୍ରତି) ସଖେ ! ଆସ ଆସ ରାଧାଙ୍କ ଅଭିସାର ପାଇଁ ସୁବିଚାର କରିବା ।

ଶ୍ରୀକୃଷ୍ଣ

ସୁବଳ ! ମୁଁ ଏଥି ପୂର୍ବରୁ ବୃନ୍ଦାକୁ ପଠାଇଛି; ସେ ତାହାର ପ୍ରତିକାର କରିବ ।

ସୁବଳ

ତେବେ ଚିନ୍ତାକରିବା କି ଆବଶ୍ୟକ ?

ମଧୁମଙ୍ଗଳ

ହା ! ହା ! ହା ! ଏ ଚିନ୍ତାମଣିଙ୍କ ଚିନ୍ତାକଥା ପୁଣି ପଚାରୁଛ, କିହେ, ଏତେବେଳେ ତାଙ୍କ ଯେଉଁ ରୋଗ ଧରିଛି, ସେ ରୋଗ ତ ଅସଲ ରୋଗ । ଦେଖୁ ନାହିଁ (ଛାତିରେ ହାତମାରି) ଓଃ ଏ ତାତି କଣ କମ୍ ତାତି ? ବାପରେ, ବାପ; ଏ ଭଳିଆ ଅଚିହ୍ନା ବ୍ୟାଧିକି ଔଷଧ ଏକା ସେହି ରସନିଧି, ରସନିଧୀ ତା ଛଡ଼ା କାହିଁରେ ହେଲେ ଏ ଜ୍ଵର ଭଲ ହେବନାହିଁ । ସଖା ଆମ୍ଭର ବଡ଼ ହଇରାଣରେ ପଡ଼ିଗଲେ, ପଡ଼ିଗଲେ । ଯାହା ହେଉ ସୁବଳ ! ଏ ଜ୍ଵର ଛାଡ଼ିବା ଭଳି ଉପଚାର ନା କଲେ ଆଉ ଗତି ନାହିଁ । (ଶ୍ରୀକୃଷ୍ଣ ପ୍ରତି) ସଖା ! ଉଠ ଉଠ, ଚଞ୍ଚଳ ଗୋଧନ ବାହୁଡ଼ା କର୍ଯ୍ୟଟା ସାରି ଦେଇ ସଂକେତ କରିଥିବା କୁଞ୍ଜରେ ହାଜର ହେବା ଚେଷ୍ଟାକର ।

ସୁବଳ

ଆସ ପ୍ରିୟସଖା ! ତେଣେ ଆଉ ସଖାମାନେ ଆମ୍ଭଙ୍କୁ ଖୋଜୁଥିବେ, ଏଣେ ବେଳ ଅବସାନ ହୋଇ ଆସିଲାଣି, ଗାଈମାନଙ୍କୁ ନେଇ ଘରକୁ ଯିବା ଆସ । (ଶ୍ରୀକୃଷ୍ଣ କୋଳକଲେ)

ଶ୍ରୀକୃଷ୍ଣ

(ଦୁଇସଖାଙ୍କ କାନ୍ଧରେ କରଭରା ଦେଇ ପ୍ରସ୍ଥାନ)

ପଟ୍ଟ ପରିବର୍ତ୍ତନ

Image

 

ଚତୁର୍ଥ ଦୃଶ୍ୟ – କୁସୁମିତ ବୃନ୍ଦାବନ

(ପ୍ରସନ୍ନ ପୌର୍ଣ୍ଣମାସୀଙ୍କ ପ୍ରବେଶ)

ଗୀତ

ଧନ୍ୟ ଧନ୍ୟ ଧନ୍ୟ ଏ ମଧୁର ବୃନ୍ଦାବନ ।

ଧନ୍ୟ ଧନ୍ୟ ଧନ୍ୟ ତୁମେ ତରୁ ଲତାଗଣ ।।

ଆଜି ଚୈତ୍ର ଶୁକ୍ଳପକ୍ଷ ବାସନ୍ତୀ ପୂର୍ଣ୍ଣିମା ।

ଯୁଗଳ ମିଳନ ହେବେ କାହ୍ନୁ ଭାନୁଜେମା ।।

ଫୁଲ ଶେଯେ ବିଳାସିବେ କିଶୋର କିଶୋରୀ ।

ଧନ୍ୟ ହେବି ଦେଖି ନେତ୍ରେ ମିଳନ ମାଧୁରୀ ।।

ଚିତ୍ରା ଚମ୍ପକ ଲତିକା ବିଶାଖା ଲଳିତା ।

ସେବାରେ ଥିବେ ସୁଚିତ୍ରା ବୃନ୍ଦା କୁନ୍ଦଲତା ।।

ଇନ୍ଦୁରେଖା ରଙ୍ଗଦେବୀ ସୁଦେବୀ ସହିତେ ।

ତୁଙ୍ଗବିଦ୍ୟା ଆଦି ସର୍ବେ ଥିବେ ନୃତ୍ୟ ଗୀତେ ।।

ଶୁକ ସାରୀ ହଳଦୀ ବସନ୍ତ କେକୀ ପିକ ।

ସୁମଧୁର ସ୍ୱନେ ଦେଉଥିବେ ଜୟ ଡାକ ।।

ମଧୁର ଗୁଞ୍ଜନେ ମଧୁକର ପନ୍ତି ପନ୍ତି ।

ଫୁଲେ ଫୁଲେ ମଧୁ ଚୁମ୍ବୁଥିବେ ପ୍ରେମେ ମାତି ।।

ବହୁଥିବ ଧୀରେ ମୃଦୁ ମଳୟ ପବନ ।

ବାସନ୍ତୀକ ରସୋତ୍ସବେ ମୁଗ୍ଧ ହେବ ମନ ।।

ଦେବଦାସୀ ମାନଙ୍କର ପୁଷ୍ପ ବୃଷ୍ଟି ହେବ ।

ବୃନ୍ଦାବନ ରସସ୍ଥଳି ଉଚ୍ଛୁଳି ପଡ଼ିବ ।।

ନିତ୍ୟ ନାୟିକାମାନଙ୍କ ସଙ୍ଗେ ନିତ୍ୟେଶ୍ୱର ।

ମଜ୍ଜିବେ ନିତ୍ୟ ଲୀଳାରେ ନିଶି ହେବ ଭୋର ।।

ଉଇଁ ଆସିଲାଣି ଶୁଭେ ପୁନିଅର ଜହ୍ନ ।

ଆହା କି ସୁନ୍ଦର ତାର ରଜତ କିରଣ ।।

ଏଣେ ଶୁଭିଲାଣି ଶୁଭ ହୁଳହୁଳି ଧ୍ୱନି ।

ଏହିକ୍ଷଣି କୁଞ୍ଜେ ବିଜେ ହେବେ ରାଧାରାଣୀ ।।

(ଯୋଗମାୟା ଗାନ ସହିତ ଧୀରେ ଧୀରେ ହସି ହସି ପ୍ରସ୍ଥାନକାଳେ ପରଦା ପତ୍ତନ)

Image

 

ଦ୍ଵିତୀୟ ଅଙ୍କ

 

ପ୍ରଥମ ଦୃଶ୍ୟ – କୁସମିତ ବନପଥ

ଶ୍ରୀରାଧାଙ୍କୁ ଘେନି ସଖିଗଣ ଆନନ୍ଦମନେ ଗାନ ସହପ୍ରବେଶ

ଗୀତ

ଚାଲ ଚାଲ ଚାଲ କୁଞ୍ଜେ କୁଞ୍ଜରଗାମିନୀ ।

ଚାହିଁ ବସିଥିବେ ଚିତ୍ତଚୋର ନୀଳମଣି ।ଘୋଷା।

ବାଜୁ କିଣି କିଣି କଟି କଙ୍କିଣୀ ଲଳିତେ

ଧର ଗୋ ତାମ୍ୱୁଳ ବଟା ସଙ୍ଗିନୀ ଲଳିତେ ।୧।

କର୍ପୁର ଗନ୍ଧ ଚନ୍ଦନ ଧର ଗୋ ବିଶାଖେ ।

ଢାଳ ଗୋ କୃଷ୍ଣ ଚାମର ଚମ୍ପକ ଲତିକେ ।୨।

ନୀଳ ପୀତ ବାସ ଧର ଚିତ୍ରା ବିଚକ୍ଷଣା ।

ବଜାଅ ଗୋ ତୁଙ୍ଗବିଦ୍ୟା ମୃଦୁ ମୃଦୁ ବୀଣା ।୩।

ଆରମ୍ଭ ଗୋ ନୃତ୍ୟ ଗୀତ ଆଗୋ ଇନ୍ଦୁରେଖା ।

ସୁବାସିତ ଜଳ ଝରି ଧର ସୁଦେବିକା ।୪।

ରାଗ ରାଗିଣୀ ଉଚ୍ଚାର ଆଗୋ ରଙ୍ଗଦେବୀ ।

ମିଳନ ହୋଇବେ କୁଞ୍ଜେ ବଲ୍ଲଭ ବଲ୍ଲଭୀ ।୫।

 

ଆଗୋ ବୃୄନ୍ଦେ ପ୍ରେମାନନ୍ଦେ ଦିଅ ଜୟଧ୍ଵନି ।

ଜୟ ଶ୍ରୀ ରାଧିକେ ଜୟ ରାଈ ବିନୋଦିନୀ ।୬।

ଧର ଗୋ ତୁଳସୀ ଜୟ ଶଙ୍ଖ ଭେରି ତୂରୀ ।

ପହଣ୍ଡ ମିଶାଅ ଧୀରେ ଅନଙ୍ଗ ମଞ୍ଜରୀ ।୭।

ଆଗୋ ସଙ୍ଗିନୀଏ ସର୍ବେ ଦିଅ ହୁଳହୁଳି ।

ମହୋତ୍ସବ ବୃନ୍ଦାବନ ପଡ଼ୁ ଗୋ ଉଚ୍ଛୁଳି ।୮।

ମଞ୍ଜରୀଏ ଧର ଛତ୍ର ତରାସ ଆଡ଼େଣୀ ।

କୁଞ୍ଜ ଅଭିସାରେ ବିଜେ ଆମ୍ଭ ରାଧାରାଣୀ ।୯।

ମାର ଲବଙ୍ଗ ମଞ୍ଜରୀ ଫଗୁ ପିଚକାରୀ ।

ପିକଦାନୀ ଖଟି ଥାଉ ବିନୋଦ ମଞ୍ଜରୀ ।୧୦।

(ନୃତ୍ୟ ଓ ଗାନ ସହିତ ସଖିଗଣ ଆନନ୍ଦିତ ମନେ ପ୍ରସ୍ଥାନ)

ପଟ୍ଟ ପରିବର୍ତ୍ତନ

Image

 

ଦ୍ଵିତୀୟ ଦୃଶ୍ୟ – ନନ୍ଦୀଶ୍ୱର

(ଶ୍ରୀକୃଷ୍ଣ ଛନ ଛନ ମନେ ଅଗ୍ରସର)

ଗୀତ

ରସ ରଙ୍ଗିନୀ ମୋ ପରାଣ ସଙ୍ଗିନୀ

ଆହା ରେ ମାନସ ଉନ୍ମାଦିନୀ ।

ଶରଣ ବତ୍ସଳା, ଚାରୁ ପ୍ରେମ ଶିଳା,

ରସରସମୟୀ ବିନୋଦିନୀ ।

ହୃଦ ବିଳାସିନୀ । ନିକୁଞ୍ଜ ରାଣୀ ମୋ ଆହ୍ଲାଦିନୀ । ୧ ।

ମରାଳଗମନୀ, ହରିଣୀ ନୟନୀ,

କୋକିଳ ବଚନୀ ପୀନସ୍ତାନୀ ।

କାଞ୍ଚନ ବରନୀ, ପ୍ରେମଦାୟୀ ଧନୀ,

ସୁଝିନ ବାସନୀ, ଯୋଷାମଣି ।

ଚାରୁ ନିତମ୍ବିନୀ, କୁନ୍ଦଦନ୍ତୀ କର୍ପୁର ହାସିନୀ । ୨ ।

ଆରେ ଗୁଣମଣି ତୋର ଗୁଣ ଗୁଣି,

ସରିବ କି ଦିବସ ରଜନୀ ।

ନବ ଯଉବନୀ, ନବାନୁରାଗିଣୀ,

ପ୍ରୀତି ବିଚକ୍ଷଣୀ ପଦ୍ମପାଣି ।

ଆରେ ସୁଲକ୍ଷଣୀ, ଲୀଳା ଲହରୀ ମୋ କୁତୁକିନୀ । ୩ ।

ଶ୍ରୀକୃଷ୍ଣ

(ସ୍ୱାଗତ) ଆହା ! ପ୍ରେମମୟୀ ଗୋ ! ସତେ ଆଜି ତମାଳକୁଞ୍ଜକୁ ଅଭିସାରିଣୀ ହୋଇ ମୋ ହୃଦୟ ତାପ ବିନାଶ କରିବୁ ? ପେଶିଥିଲି ଇତିପୂର୍ବେ ବୃନ୍ଦାକୁ ତୋ ପାଶେ, କହିଥିବତ ସକଳ ସମାଚାର ଧନ ! ମୋ ଦୁଃଖ କାହାଣୀ ଶୁଣି ସେ ଦୂତୀକା ମୁଖୁଁ, ବାଧିଥିବ ପରା ତୋତେ କିଞ୍ଚିତେ ଅବଶ୍ୟ ? ଜାଣେ ମୁହିଁ ଅଟୁ ତୁ ଗୋ କୃଷ୍ଣଗତ ପ୍ରଣା, ହା କୃଷ୍ଣ ବୋଲି ଦିବସ ରଜନୀ, ଚିନ୍ତା କରୁଥାଉ ପରା ଦର୍ଶନ ଲାଳସେ । ଅସମୟେ ଦେଖା ଯେଣୁ ନା ପାଉ ମୋହର, କେତେ ସନ୍ତାପ କରୁ ତୁ ଏକାନ୍ତରେ ବସି । ଆଜି ସେହି ଦୁଃଖରାଶି ଯାଇଥିବ ବଳି, ଦେଖିବା ଯାଏ ତୁ ମୋତେ ଆରେ ଚାରୁଶୀଳା ! ଅଶନ ବସନ ଲାଗୁଥିବ ବିଷପରି, ସଖିମାନେ ବେଶବିଧି ବଢ଼ାଇବା କାଳେ, କହୁଥିବୁ ପରା ତାଙ୍କ ମନୋଗତ ଭାବ ! ଅବ୍ୟକ୍ତ ମଧୁର ପ୍ରେମ ତୋର ମୋର ଯେଣୁ, ନିମିଷେ ଅନ୍ତର ହେଲେ ଲାଗେ ଯୁଗ ସମ, ହା ପ୍ରାଣାଧିଜେ ରାଧିକେ ଆସୁଥିବୁ ପରା, ନିକୁଞ୍ଜକୁ ସୁଳଳିତ ମନ୍ଥରଗମନେ, ସାଖିଗଣ ମଧ୍ୟେ ଯଥା ତାରା ମଧ୍ୟେ ଶଶୀ, ସେହିପରି ଦିଶୁଥିବୁ ପରାଣ ପିତୁଳି; ଯିବି ଏବେ ସଂକେତକୁ ତୋ ଦର୍ଶନ ଆଶେ; ଏହି ଶୁଭ ମୁହୂର୍ତ୍ତରେ ଆରେ ଜବାଧରା ! ଯୋଗମାୟା ସୁପ୍ରସନ୍ନେ ବାଧା ବିଘ୍ନ ଯେତେ, ସେ ସମସ୍ତ ହବ ଦୂର ଆଜିରେ ନବୀନା ! ମଧୁମୟ ମଧୁକାଳ ଚଇତ୍ର ପୂର୍ଣ୍ଣିମା; ଆହା ! କି ସୁଷମା ଯୋଗ ମାହେନ୍ଦ୍ର ଅମୃତେ ।

ନେପଥ୍ୟେ

(ତୁଳସୀ ମଞ୍ଜରୀଙ୍କ ପ୍ରବେଶ ଓ ପ୍ରଣାମ)

ଶ୍ରୀକୃଷ୍ଣ

(ମନ୍ଦେହସି) କି ଗୋ ତୁଳସୀ ! ଖବର କଅଣ ?

 

 

 

ତୁଲସୀମଞ୍ଜରୀ

ସମସ୍ତ କୁଶଳ, ବନଦେବୀ କହିଛନ୍ତି– କୁଞ୍ଜକୁ ବିଜେ କରନ୍ତୁ । (ଦାସୀ ମେଲାଣି ନେଉଚି)

 

 

(ଏହା କହି ପ୍ରସ୍ଥାନ)

ଶ୍ରୀକୃଷ୍ଣ

ଆଉ ବିଳମ୍ବରେ ପ୍ରୟୋଜନ ନାହିଁ ।

 

 

ସଂକେତ କୁଞ୍ଜକୁ ଯିବି । (ପ୍ରସ୍ଥାନ)

ପଟ୍ଟ ପରିବର୍ତ୍ତନ

Image

 

ତୃତୀୟ ଦୃଶ୍ୟ – ବୃନ୍ଦାବନର ଏକ ପ୍ରଦେଶ

(ସଖିଗଣ ବେଷ୍ଟିତା ଶ୍ରୀରାଧାଙ୍କ ପ୍ରବେଶ)

 

ଲଳିତା

ରାଧିକେ ! ଦେଖ କି ସୁନ୍ଦର ଜହ୍ନ ରାତିଟି ।

ବିଶାଖା

ଧନି ! ଆଜି ତୁମ୍ଭ ପାଖରେ କି ଶୋଭା ନା ଦିଶିବେ ନୀଳହାତୀଟି ?

ବୃନ୍ଦା

ମିଳିଗଲେ ସିନା ଦୁଇ ଛାତିଟି ?

କୁନ୍ଦଲତା

ପ୍ରେମରସ ଭୋଳେ ଦୁହେଁ ଗଲେ ମାତିଟି ?

ଲୀଳାନିଧି

ନୋହିଲେ କିପରି ଖସିବ ଅଙ୍ଗ ତାତିଟି ?

ଚିତ୍ରା

ଆଗୋ ! ଏଇତିପାଇଁ ପରା ଗଲା ଆମ୍ଭ ଜାତିଟି ?

ଚମ୍ପକଲତା

ଖାଲି ଏତିକି ? କେତେ ବସିଗଲା ଅପଖ୍ୟାତିଟି ?

ଇନ୍ଦୁରେଖା

ବୟସୀଏ ହୋଇବାରୁ ସାଥିଟି ?

ଶ୍ରୀରାଧା

ସଖିଏ ଗୋ ! ଯାହା ଇଚ୍ଛା ତାହା ହେଉ ମୋର ସକଳ ସମ୍ପତ୍ତି ନୀଳ ମୂର୍ତ୍ତୀଟି-

ଲଳିତା

ହଁ ଗୋ ରାଧେ ! ଆମେମାନେ ଯେପରି ସଦା ଦେଖୁଥାଉଁ କଳା ଗୋରା ଭାତିଟି ?

ତୁଙ୍ଗବିଦ୍ୟା

କଥା କହୁଁ । ଗୁଡ଼ିଏ ପହଳି ବଖାଣି ଗଲ ଯେ ସଖି !

ଲଳିତା

ତୁଙ୍ଗବିଦ୍ୟେ ! ତୁମେ ଯେ ଆମମାନଙ୍କ ସଙ୍ଗରେ ପଦେ ଅଧେ ପହଳି ନା ଯୋଡ଼ି ନୀରବ ହେଲ ?

ବିଶାଖା

ଆଗୋ, ସେ ପହଳି କଅଣ କହିବେ ?

 

 

ଆମ ଜେମାମଣିଙ୍କି ଗୋଟିଏ ଗାନ ଶୁଣାନ୍ତୁ ।

ଚିତ୍ରା

ସତ କହିଲ ବିଶାଖେ, ତୁଙ୍ଗବିଦ୍ୟାତ ଆମମାନଙ୍କ ମଧ୍ୟରେ ଗାୟିକା ଶିରୋମଣି, ଗାଆନ୍ତୁ ଗାଆନ୍ତୁ, ଆମ ରାଧାଙ୍କ ମନ ମାନିଲା ଭଳି ଗୋଟିଏ ମଧୁର ସଙ୍ଗୀତ ଗାଆନ୍ତୁ ।

ଚମ୍ପକଲତା

ଧର ଗୋ ବୀଣା, ଗାନପ୍ରବୀଣ, ତୁଙ୍ଗବିଦ୍ୟା ସଖି ! ଧିନି କି ଧିନା ।

ବିଶାଖା

(ହସି ହସି) ବେଶ୍‍ ବେଶ୍‍ ଚମ୍ପକଲତା ତ ଭଲ ଢେଗ ପଦେ ଗାଇଦେଲେ ।

ତୁଙ୍ଗବିଦ୍ୟା

ଆଗୋ ବିଶାଖେ ! ସେ ପରା ଜଣେ ପକ୍କା, କଥା କହିବାରେ କାହିଁକି କରିବେ ଦକା ? ଗାଉଛି ଗାଉଛି ଶୁଣ–

ଗୀତ

 

ରାଧା ପରି ରାଧା ସିନା ଗୋ ସଙ୍ଗିନୀ !

 

ରାଧା ପରି ରାଧା ସିନା ।

 

ଆଉ ଯେତେ ବ୍ରଜେ ରମଣୀ ଅଛନ୍ତି; ସର୍ବେ ପିତ୍ତଳ ସେ ସୁନା ।

 

(ସଖି) ସ୍ତିରୀ ମାତରକ ଅଛନ୍ତି ଯେତେକ,

 

ସର୍ବେ ପିତ୍ତଳ ସେ ସୁନା । ଘୋଷା ।

 

ଦଳିତାଞ୍ଜନକୁ ହସୁଛି ଯା କାନ୍ତି ସେ ଶ୍ୟାମ ପାଶରେ ଥିଲେ ।

 

ହରିତାଳ ବୋଳି ହେଲା ପରି ଦିଶେ କାନ୍ତିରେ କେ ତାହା ତୁଲେ । ୧ ।

 

କଳାକାର ତ କଳା କରେ ରହିଲା ମୁଖକୁ ନୋହି ତୁଳନା ।

 

ତ୍ରପାରେ ତପ କରୁଛି ଗଙ୍ଗା ତଟେ ହର ଜଟା ବନେ ଅନା । ୨ ।

 

ଆଖିକି ତାର ଅନାଇ ଦେଇ ମୁଖ ବୁଲାଇ ଦେଲେ ଏଣିକି ।

 

ଦଶଦିଶ ଯାକ ନିଳୋତ୍ପଳମୟ ଦିଶୁଛି ହେବା କଥା କି ? । ୩ ।

 

ରାତିଯାକ ଜାତି ପାଖୁଡ଼ା ଶେଯରେ ପାହୁଡ଼ି ଥାଉଚି ଲୋଟି ।

 

ମଉଳୁ ନାହିଁ କିଞ୍ଚିତେ ହେଲେ ଅଙ୍ଗେ ଚିହ୍ନ ବସି ଦିଶେ ଫୁଟି । ୪ ।

 

ଶତକୋଟି ଗୋପୀ କାଲି ବୋଲୁଥିଲେ ଶୁଣୁଥିଲୁ ତ ରାସରେ ।

 

ଆମ୍ଭ ନେତ୍ର ପୂଣ୍ୟଫଳ ରାଧା ଥାଉ ସଦା ଶ୍ରୀକୃଷ୍ଣ କୋଳରେ । ୫ ।

 

କହିଥିଲେ ଗର୍ଗ ପୂର୍ବେ ପୂର୍ଣ୍ଣବ୍ରହ୍ମ ସନାତନ ବୋଲି ଯାକୁ ।

 

ସେ ବ୍ରଜବିଧୁଏ କେମନ୍ତ ନୋହିଲେ ଥିଲା ଅଧୀନ ହେବାକୁ । ୬ ।

 

 

(ଗୋପାଳକୃଷ୍ଣ)

ଲଳିତା

(ହସିକରି) ତୁଙ୍ଗବିଦ୍ୟା ସଖି ! ସମୟ ଜାଣି ଭଲ ଗୀତଟିଏ ଗାଇ ଦେଲ ଗୋ, ଏ ଗୀତ କାହା ମନକୁ ନା ଆସିବ କହିଲ ?

ବିଶାଖା

ସଖି ଲଳିତେ ! ଆମ ରାଧାଙ୍କ ତପସ୍ୟା କମ ନୁହେ, ପୂର୍ଣ୍ଣବ୍ରହ୍ମ ହରି ପୂର୍ଣ୍ଣକଳା ଧାରଣ କରି ଏ ବୃନ୍ଦାବନରେ ବିହାର କଲାଦିନୁ ଗୋଲୋକପୁରୀ ଶୂନ୍ୟ ହୋଇଛି ବୋଲି ଦିନେ ନାରଦ ମହାଋଷି କହୁଥିଲେ ପରା ? କାହାଲାଗି ଗୋଲୋକ ଶୂନ୍ୟ ? ଆମ ରାଧାଙ୍କ ଲାଗି ସିନା ଆଜି ଗୋଲୋକ ଭୁବନ ଅନ୍ଧକାର ?

ଚିତ୍ରା

ରାଧାଙ୍କ ବ୍ରତ ଫଳରୁ ।

ଲଳିତା

ସଖି ରାଧେ ! ତୁମ୍ଭେ କି ବ୍ରତ କରି କେଉଁଠୁ ଏ ବର ପାଇଥିଲ ? ଯାହା କି କୋଟି ବ୍ରହ୍ମାଣ୍ଡ ନାଥଙ୍କ ମନକୁ ମନେଇ ନେଇଚ ?

ଗୀତ

ସହୀ ! କି ବ୍ରତ କରି ବର ପାଇଲୁ ଗୋ ।

ସେବି କେଉଁ ଦେବତାଙ୍କ ମନାଇଁଲୁ ଗୋ ।ଘୋଷା।

ସେବକୀ ବଇରୀକି ସେବକୀ ପରି କରି

ନବକିଶୋରୀ ପଛରେ ବୁଲାଇଲୁ ଗୋ ।୧।

ଜଗନ୍ମୋହନ ମାନସ ମଜ୍ଜାଇଲୁ ଗୋ ।

ମାନକରି ପ୍ରାସାଦରେ ଲୋଟାଇଲୁ ଗୋ ।

ଯା ସ୍ମୃତି ଲବ ଭବ ବ୍ରହ୍ମାଦିଙ୍କୁ ଦୁର୍ଲ୍ଲଭ

ତାଙ୍କୁ କର ତ୍ରୋଡ଼ରେ ତ ନଚାଇଲୁ ଗୋ ।୨।

ଆନ ବିଷୟମାନ ପାଶୋରାଇଲୁ ଗୋ ।

ଧ୍ୟାନ ତୋ ରୂପ ସନ୍ତତ କରାଇଲୁ ଗୋ ।

 

କାନରେ କି ମନ୍ତର ଦେଲଟି ନିରନ୍ତର

ରାଧେ ହା ଶ୍ରୀରାଧେ ବୋଲି ଜପାଇଲୁ ଗୋ ।୩।

କେତେ ବର ତରୁଣୀଙ୍କି କନ୍ଦାଇଲୁ ଗୋ ।

ତାଙ୍କ ମନୋରଥ ଦ୍ରୁମ ଭଙ୍ଗାଇଲୁ ଗୋ ।

ବନମାଳୀ ସେ ଚନ୍ଦ୍ରା- ବଳୀ ପ୍ରୀତି ପଥରେ

ଧୂଳି ଉଡ଼ୂଥିଲା ତୃଣ ଉଠାଇଲୁ ଗୋ ।୪।

ବନ ଯାକୋର କୁସୁମ ତୋଳାଇଲୁ ଗୋ ।

ପ୍ରସାଧନୀ ଦେଇ ଖୋସା ଖୋସାଇଲୁ ଗୋ ।

ମକରୀ ପତ୍ରାବଳୀ ତିଳକ ସଜଡ଼ାଇ

ପଦ ଧରାଇ ଯାବକ ଲେଖାଇଲୁ ଗୋ ।୫।

 

 

( ଗୋପାଳକୃଷ୍ଣ)

ଶ୍ରୀରାଧା

ସଖିଏ ଗୋ ! ସେହି ରଙ୍କ ଚିନ୍ତାମଣି ବାଙ୍କଚୂଳିଆଙ୍କୁ ଅଙ୍କ ପଲଙ୍କରେ ଧରିବି ବୋଲି ପଙ୍କଜ କୁସୁମରେ ଶଙ୍କର ଗଉରୀଙ୍କି କେତେ ପୂଜା କରିଛି, ତାଙ୍କରି ସେବାରେ ମୋ ଦିନ କାଳ ଏହିପରି ଯାଉ ।

ଗୀତ

 

ରଙ୍କଚିନ୍ତାମଣି ବାଙ୍କଚୂଳିଆଙ୍କୁ ଅଙ୍କରେ ଧରିବି ବୋଲି ଗୋ,

 

ପଙ୍କଜ କୁସୁମେ ଶଙ୍କର ଗଉରୀ ପୂଜା ଆରମ୍ଭ ବସିଲି ଗୋ ।

 

ତାଙ୍କର ସେବାରେ ଦିନ । ନେବି କହୁଛି ସଜନୀ ଘେନ ଗୋ ।୧।

 

ମନ୍ଦ ମନ୍ଦ ହାସ କନ୍ଦରୁ ମଧୁର ଚନ୍ଦନ ବୋଳା ଶ୍ରୀଅଙ୍ଗେ ଗୋ ।

 

ବନ୍ଧା ରହିଛି ମୁଁ ରଜନୀ ଦିବସେ ପ୍ରିୟ ସଖି ତୁମ୍ଭ ସଙ୍ଗେ ଗୋ ।

 

ବୃନ୍ଦାବନ କଳାକାର । ଛନ୍ଦା ଚରଣଟି ଫନ୍ଦା ମୋର ଗୋ ।୨।

 

ଆନନ୍ଦସାଗରେ ବୁଡ଼ି ରହିଥିବି ମନ୍ଦ ଘୋଷଣା ନ ଶୁଣି ଗୋ ।

 

କନ୍ଦର୍ପ ମୋହନ ବୃନ୍ଦାବନ ବୃନ୍ଦବନ୍ଦନ ମୋ ମଥାମଣି ଗୋ ।

 

କୁନ୍ଦ ମନ୍ଦାର ଅଧରୁ । ମଧୁ ଚାଖି ମୋର ଦିନ ସରୁ ଗୋ ।୩।

 

 

(ବ୍ରଜବାସୀ)

ଲୀଳାନିଧୀ

ସଖି ! ସେ ଶ୍ୟାମସୁନ୍ଦରଙ୍କୁ ତୁଳନା ହେବାକୁ ଏକା ତୁମ୍ଭେ ସିନା ? ଯଦି ତୁମ୍ଭ ଭଳି ରୂପବତୀ ସୁନ୍ଦରୀ ରମଣୀ ନ ଥାନ୍ତ ତେବେ ବୃନ୍ଦାବନ ଲୀଳାଖେଳା କିଏ କରନ୍ତା ରାଧେ !

ଗୀତ

ଶ୍ୟାମସୁନ୍ଦରଙ୍କୁ ଦେବାକୁ ତୁଳନା ଗୋ ।

ଏ ବ୍ରଜରେ ଏକ ରାଧେ ତୁମ୍ଭେ ସିନା ଗୋ ।ଘୋଷା।

କେତେକାଳ ବସି ବସି, କେତେ କାହୁଁ ସୁଧାରାଶି,

ଆଣି ବିନ୍ଧାଣି ବିଧାତା ଗଢ଼ିଲା ନା ଗୋ ।୧।

ଯେ ତ୍ରିଭୁବନ ମୋହନ, ସେ ହେଲେ ତବ ଅଧୀନ,

ଭାବ ପ୍ରେମକାନ୍ତି ହେମ କଳା ସୁନା ଗୋ ।୨।

ନାଗର ମୁକୁଟମଣି, ସେ ମୋହନ ବଂଶୀପାଣି,

ନାଗରୀଙ୍କର ଅଗ୍ରଣୀ ଭାନୁଜେମା ଗୋ ।୩।

ଧନ୍ୟ ଗୋ ଧନ୍ୟ କିଶୋରୀ ଧନ୍ୟ ପର୍ବପୁଣ୍ୟ ଶିରୀ

କୃଷ୍ଣନାମ ଆଦ୍ୟେ ରାଧା ନାମ ଜିଣା ଗୋ ।୪।

ଶ୍ରୀରାଧା

ସଖି ଲିଳାନିଧି ! ମୋତେ କେଉଁ ଗୁଣରେ ଶ୍ୟାମବନ୍ଧୁଙ୍କ ସଙ୍ଗେ ତୁଲ କରୁଛୁ-? ମୁଁ ତ ତାଙ୍କ ପଦଧୂଳିକି ସମାନ ନୁହେଁ ।

ଗୀତ

 

ମୁହଁ କି ? ଶ୍ୟାମବନ୍ଧୁ ଭଳିକି ଗୋ ।

 

ସମ ନୋହିବି ଯେ ପଦ ଧୂଳିକି ଗୋ । ଘୋଷା ।

 

ତାମରସବନ କେଳି ଅଳିକି, କି ମଣି ନିଯୋଜୁ ଗିରିମଲ୍ଲିକି ।୧।

 

ନାଗର ନିକର ବଳି ସଳିକି, ସାମ୍ୟ କରୁଛୁ ମୂଢ଼ ଗୁଆଳିକି ।୨।

 

ତୁଲ କରୁ ମୋତେ ବନମାଳୀ କି, ଶୁଣିଲେ ଜନ ମାରିବେ ତାଳିକି ।୩।

 

ନିଳୋତ୍ପଳ ଗର୍ଭ ଦଳ ଝଳିକି, ତୁଳୁଛୁ ଛଡ଼ା ହରିଦ୍ରା ମାଳିକି ।୪।

 

ପ୍ରେମରତ୍ନ ଚିନ୍ତାମଣି ଅଳିକି, ଗୁନ୍ଥିବି ଭାଲୁଛୁ କଚାମାଳିକି ।୫।

 

 

(୰ଗୋପାଳ କୃଷ୍ଣ)

 

 

 

 

 

 

ବିଶାଖା

ସଖି ! ତୁମ୍ଭେ ଶ୍ରୀକୃଷ୍ଣଙ୍କ ମନକୁ ବସିଭୂତକରି ନେଇଚ ବୋଲି କିଏ ସ୍ୱୀକାର ନା କରିବ ? ତା ଯଦି ନୋହି ଥାଆନ୍ତା ରାଧା ରାଧା ବୋଲି କାହିଁକି କୃଷ୍ଣ ପାଗଳ ହେଉଥାଆନ୍ତେ ?

ଚିତ୍ରା

ସଖି ଗୋ ! କୃଷ୍ଣ ଯେପରି ରାଧା ନାମରେ ପାଗଳ, ଆମ ରାଧା ସେହିପରି କୃଷ୍ଣ ନାମରେ ପାଗଳିନୀ । ଦୁହିଙ୍କ ପ୍ରେମରେ ଦୁହେଁ ବନ୍ଧା, ସେଇତି ଲାଗି ଇଏ ତାଙ୍କୁ ଦଣ୍ଡେ ନା ଦେଖିଲେ ବାୟାଣୀ, ସେ ୟାଙ୍କୁ ନ ଦେଖିଲେ ବାଇଆ-

ଲଳିତା

ଏକଥା ଟିକିଏ ମିଛ ନୁହେଁ ଗୋ ଚିତ୍ରେ ! କାହାକୁ ଉଣା କାହାକୁ ଅଧିକ କହିବା ? ରୂପରେ ଗୁଣରେ ଦୁହିଁଙ୍କି ଦୁହେଁ ସମାନ ।

ଗୀତ

ଦୁହିଁଙ୍କି ଦୁହେଁ ସମାନ ରୂପ ଗୁଣେ ସିନା ଗୋ ।

କୋଟିଏ ବ୍ରହ୍ମାଣ୍ଡ ଆଉ କେ ହେବ ତୁଳନା ଗୋ ।ଘୋଷା ।

ରାଧାକୃଷ୍ଣ ଗତପ୍ରାଣା, ରାଧାଗତ ପ୍ରାଣ କାହ୍ନା,

ଭଲା ବିହି କରିଥିଲା ଏ ରୂପ ଘଟନା ଗୋ ।୧।

ନୀଳମଣିରେ କାଞ୍ଚନ, ଜଡ଼ିଲା ପରି ସୁସମ,

ଯୁଗଳ ମାଧୁରୀ ହରି ନିଅଇ ଚେତନା ଗୋ ।୨।

 

ଆସ ଗୋ ବହନ ଆସ, ପୂରାଇବା ଅଭିଳାଷ,

ନିକୁଞ୍ଜ ମିଳନେ ଉଡ଼ାଇବା ପ୍ରେମବାନା ଗୋ । ୩ ।

ବିଶାଖା

ସଖି ! ଆମ୍ଭମାନଙ୍କ ହସରହସ୍ୟ ଆଳାପ ଏତିକି ଥାଉ, ଚାଲ ଚାଲ ତମାଳକୁଞ୍ଜରେ କୁଞ୍ଜବିନୋଦିଆଙ୍କ ତୁଲେ ବାକି ରଙ୍ଗ ରହସ୍ୟ ଲଗାଇବା । ତେଣେ ପରା ମଦନମୋହନ ଚାହିଁ ବସିଥିବେ ?

ଚିତ୍ରା

ଚାଲ ଗୋ ଚାଲ ।

ସମସ୍ତେ

(ସମସ୍ୱରେ ଗାନ କଲେ)

ଗୀତ

ଆଗୋ ଚାଲ ଚାଲ, କୁଞ୍ଜେ ଚାହିଁ ରହିଥିବେ ନନ୍ଦଲାଲ ।ଘୋଷା।

ପ୍ରହରରୁ ରଜନୀ ଗଲା ବଳି, ଦେଖ ଆକାଶରେ ତାରାବଳୀ

ପୂର୍ଣ୍ଣଚନ୍ଦ୍ର ତୁଲେ ଦିଶନ୍ତି ଝଲମଲ ।୧।

ସୁଗନ୍ଧ ମଳୟ ମନ୍ଦବାତ, ବହି ଆସେ ଦେଖ ପ୍ରାଣମିତ ।

ବାସ ଫୁଟି ବିକାଶନ୍ତି ନାନାଫୁଲ ।୨।

ଆଜି ଆନନ୍ଦର ସୀମା ନାହିଁ, ବେଶବେଳୁଁ ଜାଣିଅଛି ମୁହିଁ

ପ୍ରେମସିନ୍ଧୁ ଉଛୁଳିବ ବନସ୍ଥଳ ।୩।

 

ନାଟୁଆ କିଶୋର ନୀଳମଣି, ନବନାଗରୀ ଶ୍ରୀରାଧା ନାଟୁଆଣୀ,

ଫଗୁପନୀର ପାଣିରେ ହେବେ ଲାଲ ।୪।

ଉଠ ଉଠ ଚାରୁ ଚନ୍ଦ୍ରମୁଖୀ, ବନ୍ଧୁ ଦରଶନେ ହେବ ଶୁଖୀ,

ଫୁଲ ଶେଯ ହେବ କଉତୁକ ଗେଲ ।୫।

(ସଖିଗଣ ଆନନ୍ଦମନେ ଗୀତ ଗାଇ, ରାଧାଙ୍କୁ ଘେନି ପ୍ରସ୍ଥାନ)

ପଟ୍ଟପରିବର୍ତ୍ତନ

Image

 

ଚତୁର୍ଥ ଦୃଶ୍ୟ – ଜମାଜ କୁଞ୍ଜମଣ୍ତସ

(ରାଧାଙ୍କ ମଧ୍ୟରେ ରଖି ସଖି ମାନଙ୍କ ପ୍ରବେଶ)

 

ବୃନ୍ଦା

ସଖି ରାଧେ ! ଏହି ତମାଳ କୁଞ୍ଜ ଦେଖା କି ସୁନ୍ଦର ଦିଶୁଛି, ମାଧବୀଲତାଟି ଚାରି ବାହିରେ ବେଢ଼ି କିପରି କୁସୁମିତ ହେଇଚି । ଭ୍ରମର ମନେ ଗୁନୁ ଗୁଣି ସ୍ପନ ଛଳରେ ମିଳନ ଉତ୍ସବ ଉପଲକ୍ଷେ ଜୟଶଙ୍ଖ ବାଦନ କରୁଛନ୍ତି, କୋକିଲାଦି ପକ୍ଷୀମାନେ ସୁମଧୁର ସ୍ପନରେ ପଞ୍ଚମ ତାଳ ଧରି ମିଳନ ଉତ୍ସବ ଉପଲକ୍ଷେ ସଙ୍ଗୀତ ଗାନ କରୁଛନ୍ତି । ମଳୟ ପବନ ଧୀର ଧୀର କରି ସୁଗନ୍ଧ ବ୍ୟଜନ ଢାଲୁଚି, ଏ ତମାଳମୂଳରେ ପ୍ରାଣ ବନ୍ଧୁଙ୍କୁ ଅପେକ୍ଷା କରି ବସିଥିବ, ମୁଁ ମଧୁପାନର ଯୋଗାଡ଼ କରେଁ ।

ଗୀତ

 

ମଧୁ ବନୁ ମଧୁ ପାନ ବିଧିର ସମ୍ଭାର ।

 

ସଜାଡ଼ି ଆଣେ ମୁଁ ଯାଇ ସ୍ମରସିକା ବର ଗୋ ।୧।

 

ବାସି ଥାଅ ଏ ତମାଳ ମୂଳେ ବିନୋଦିନୀ ।

 

ଏହିକ୍ଷଣେ ଶୁଭେ ଭେଟ ହେବେ ନୀଳମଣି ଗୋ ।୨।

 

ସାଜ ଗୋ ସଜନିମାନେ ମିଳନ କୁଞ୍ଜକୁ ।

 

ବିଛାଇ ପଲ୍ଲବ ଶେଯେ କୁସୁମ ରଜକୁ ଗୋ ।୩।

 

ଫୁଲର ଚାନ୍ଦୁଆ ଫୁଲ ତୋରଣ ଶିକୁଳି

 

ଫୁଲ ଝରା ପେନ୍ଥା ପେନ୍ଥା ବାନ୍ଧ ସବୁ ଆଳି ଗୋ ।୪।

 

ଫୁଲର ଆଲଟ ଫୁଲ ବିଞ୍ଚଣୀ ଚାମର

 

ଫୁଲ ଦୋଳୀ ଫୁଲ ମାଣ୍ଡୀ କରିଥା ତିଆର ଗୋ ।୫।

 

ଚନ୍ଦନ କର୍ପୁର ପାନ ରଖ ଗୋ ସଜାଡ଼ି ।

 

ଜାଳି ରତ୍ନ ଦୀପ ଗୁନ୍ଥୁ ଥାଅ ଫୁଲମାଳି ଗୋ ।୬।

 

ଫୁଲ ଛତି ଫୁଲର ତରାଶ ଥାଅ ରଚି ।

 

ଅବିଳମ୍ଭେ ଆସିବି ମୁଁ ଯାଉଚି ଯାଉଚି ଗୋ ।୭।

 

 

(ବୃନ୍ଦା ଗାନ ସହିତ ପ୍ରସ୍ଥାନ)

ଲଳିତା

ବୃଷଭାନୁ ଗୋ ! କୁଞ୍ଜମନ୍ଦିରକୁ ବିଜେ କର

 

 

ଗୀତ

ବିଜେ କର ଗୋ ! ବୃଷଭାନୁ କୁମାରି ।

ଆସିବେ ଏ କ୍ଷଣି ମୂରଲୀଧାରୀ (ବିଜେ କର ଗୋ) ।ଘୋଷା।

ଆମ୍ଭେ ସଖିଗଣ ସକଳେ ମିଳି, କରିବୁଁ ମଣ୍ଡଳ କୁସୁମ ଦୋଳି,

ପଲ୍ଲବ ଶେଯରେ ବଲ୍ଲଭଙ୍କ ତୁଲେ,

ବିଳସିବ ପରା ଆଗୋ କିଶୋରୀ ।୧।

 

ସବୁ ଉପଚାର ଅଛି ସଜଡ଼ା, । ଆଉ ଯାହା ଯାହା ହୋଇବ ଲୋଡ଼ା,

ଯତନରେ ତାହା ସଜେଇ ଦେଉଚୁ,

ତୁମ୍ଭ ମନ ବୋଧ ହେବ ଯେପରି ।୨।

 

 

(ଏହା କହି ଶ୍ରୀରାଧାଙ୍କୁ ପଲ୍ଲବ ଶେଯରେ ବିଜେ କରାଇଲେ)

ବିଶାଖା

ସଖି ଲଳିତେ ! ମୋ ଗନ୍ଧ ଚନ୍ଦନ ଗୋଳା ହୋଇନାହିଁ ଗୋ, କୁ ଗୋଳି ରଖିଦିଏଁ ।

ଲଳିତା

ମୁଁ ମଧ୍ୟ ବିଡ଼ିଆ ଭାଙ୍ଗି ରଖିଦେବି ଯାଉଚି । (ତାଥାକରଣ)

ଚିତ୍ରା

ଆଗୋ ! ମୁଁ ତୋ ନୀଳ ପୀତବସନ ଯୋଡ଼ିକି କୁଞ୍ଚ ରଖିନାହିଁ । ଚଞ୍ଚଳ କୁଞ୍ଚିଦିଏଁ । (ତାହା କଲେ)

ଚମ୍ପକଲତା

ସଖି ! ମୋ ଫୁଲ ଚାମରଟି ସଜାଡ଼ିବି ପରା ?

ତୁଙ୍ଗବିଦ୍ୟା

ସଖି ! ମର୍ଦ୍ଦଳଟି ଆଣିବଟି, ମୁଁ ସ୍ୱର ବାନ୍ଧି ରଖେଁ ।

 

 

(ମର୍ଦ୍ଦଳରେ ସ୍ୱର ଦେଲେ ଓ ବୀଣାର ତାର ସଲଖି ଟଙ୍କାରିଲେ)

ଇନ୍ଦୁରେଖା

ସଖି ତୁଙ୍ଗବିଦ୍ୟେ ! ମୋ ନାଚ ସେବା ତ ପଛକୁ ଅଛି ସଙ୍ଗୀତ ଆଳାପର ମୂର୍ଚ୍ଛନା କରୁଥାଏଁ ହେଲେ ।

 

 

(ରାଗିଣୀ ଉଚ୍ଚାରି) ସଖି ! ଏହି ରାଗରେ ଗୀତ ବସାଇବା ନା ?

ତୁଙ୍ଗବିଦ୍ୟା

ହଁ ଗୋ ! ମନେ ରଖି ଥାଆ ।

ସୁଦେବୀ

ସଖି ! ହେମ ଝରିରେ ସୁବାସିତ ଜଳ ଏଠି ରଖିଲି, କେହି ଢାଳି ଦିଅ ନା । ମୁଁ ଫୁଲ ବିଞ୍ଚନା ଟିଏ ସଜାଡ଼ି ଦିଏଁ । (ତାହା କଲେ)

ରଙ୍ଗଦେବୀ

ସଖି ସୁଦେବୀ ! ମୋ ଅଳତା ପାତ୍ରଟି ତୁମ୍ଭ ଜଳଝରି ପାଖରେ ଥାଉ । ମୁଁ ଫୁଲ ଛତିଟି ତିଆରିବି । (ତା, କଲେ)

ଇନ୍ଦୁଲତା

ଆସ ଗୋ, ଲିଳାନିଧି ! ତୁମ୍ଭର ମୋର ମିଶି ଫୁଲ ଚାନ୍ଦୁଆ ତିଆରି କରିବା ।

ଲୀଳାନିଧି

ମୁଁ ତ ଏହି କଥା ପାଞ୍ଚୁଥିଲି ଗୋ; ଚାଲ (ଦୁହେଁ ମିଶି ଫୁଲ ଚାନ୍ଦୁଆ ସଜାଡ଼ିଲେ)

ଲବଙ୍ଗମଞ୍ଜରୀ

ସଖି ଦେଖିଲ, ମୁଁ ଏ ଫୁଲମାଣ୍ଡିଟି ତିଆରିବି; ତୁମ୍ଭମାନଙ୍କ ମନକୁ ଆସୁଚିଟି-? (ଦେଖାଇଲେ)

କୁନ୍ଦଲତା

(ଦେଖିକରି) ହୋଇ ଗୋ ଲବଙ୍ଗଲତେ ! ତୁମକୁ ଏମିତି ସୁନ୍ଦର ଫୁଲ ମାଣ୍ଡି ତିଆରି କରି ଆସେଟି ? ଆହା ଭଲ ହେଇଚି ଭଲ ହେଇଚି ।

ଲୀଳାନିଧି

କାଇଁ ଦେଖି ? (ଦେଖୁ ଦେଖୁ) ଆଗୋ ସତେ ଗୋ ଇଏ ତ ଅତି ସୁନ୍ଦର ତକିଆଟିଏ ତିଆରି କରିଛନ୍ତି । ରଖ, ରଖ, ରଖ ଶେଯ ଉପରେ ସଜେଇ ରଖ ।

ଲବଙ୍ଗମଞ୍ଜରୀ

(ତାହା କଲେ ଓ ଫୁଲ ଗୁନ୍ଥି ବସିଲେ)

ଅନଙ୍ଗମଞ୍ଜରୀ

ସଖି ! ମୁଁ ଏ ଫୁଲ ଟାହିଆ ଦୁଇଟି ସଜାଡ଼ିଚି, ନିଅ (ପ୍ରଦର୍ଶନ)

 

 

 

ଲିଲାନିଧି

ତୁମ୍ଭ ଭଉଣୀ ରାଧାଙ୍କ ଚୂଳରେ ଖୋଷିଦିଅ, ଆଉ ଗୋଟିଏ କଳାକାହ୍ନୁଙ୍କ ବାଙ୍କଚୂଳରେ ଖଞ୍ଜିବାକୁ ରଖ ।

 

 

(ନେପଥ୍ୟ କୁ ଶ୍ରୀକୃଷ୍ଣ ନୃପର ଶଦ୍ଧ ହେବା)

ଶ୍ରୀରାଧା

ସଖି ! ଦେଖିଲ କିଏ ଆସୁଛନ୍ତି ?

ଲଳିତା

ରାଧେ ! ଆଉ କିଏ ତୁମ୍ଭ ଚିତ୍ତଚୋର ଆସିଲା ପରିତ ଜଣା ଯାଉଚି, ନଇଲେ ଏ ମଧୁର ମଧୁର ନୃପୁର ଧୁନି ଆ କାହାର ହେବ ? ଶୁଣ ଶୁଣ : –

ଗୀତ

କୁଞ୍ଜ ଦୁଆରେ ଶୁଣ ନୂପୂର ଧ୍ଵନି, ସଜନୀ ଗୋ ।

ଏତେ ହେବେ ତୁମ୍ଭ ପ୍ରୀତି ଚିନ୍ତାମଣି । ଘୋଷା ।

(ଦେଖ) ବହି ଆସୁଅଛି ମନ୍ଦ ମନ୍ଦ

ଭାବ ବିନୋଦିଆଙ୍କ ଅଙ୍ଗ ଗନ୍ଧ,

ଝୁଲି ଝୁଲି ନାଚି ଆସୁଛନ୍ତି ଟି,

ବୃଷଭାନୁସୂତା କଣ୍ଠମଣି ।୧।

(ଦେଖ) ମଧୁକର ପ୍ରେମ ହୋଇ ମତ୍ତ

ଧାଇଁ ଆସୁଛନ୍ତି ଶତ ଶତ,

ଅନୁରାଗ ଚିତ୍ତେ ଦେଖି ରାଧାନାଥେ,

ଭବାବେଶେ ହସେ କୁମୁଦିନୀ ।୨।

ସୁବାସ କୁସୁମ ବନେବନେ,

ଫୁଟି ଉଠୁଚି ଗୋ ସ୍ନେହ ମନେ,

ମୃଦୁସ୍ୱରେ ପିକ ଜଣାଇ ଦେଉଚି,

ଆସିଲେଣି ରାଧା ମୁକୁଟମଣି ।୩।

 

 

(ଶ୍ରୀ ମୋହାନସୁନ୍ଦର ଦେବା ଗୋ ସ୍ଵାମୀ)

ବିଶାଖା

ରାଧେ ! ଆସିଲେଣି ଗୋ, ଆସିଲେଣି ।

ଶୀରାଧା

ଆହା ଏତେବେଳକେ କଅଣ ଏ ଅଜନ୍ମ ଦୁଃଖିନୀ ମନେ ପଡ଼ିଲା ? ପ୍ରାଣବନ୍ଧୁ ! ଆସ ଆସ ।

ଗୀତ

ବନ୍ଧୁ ଆସ ବନ୍ଧୁ ଆସ, ମୋର ହୃଦୟ ପ୍ରସୁନ ବାସ ହେ ।ପଦ।

ଚାହିଁ ବସି ଅଛି ଆଜନ୍ମ ଦୁଃଖିନୀ ଏ କୁଞ୍ଜ ମନ୍ଦିର ପାଶ ହେ ।

ଏତେ ବେଳେ କିହ୍ନେ ମନରେ ପଡ଼ିଲି ପ୍ରାଣ ପ୍ରଭୁ ପୀତବାସ ହେ ।୧।

(ଉଠିଯାଇ ଖଣ୍ଡଦୂରୁ ପ୍ରଣାମ ସହିତ କରଧରି ଆଣିଲେ)

ଶ୍ରୀକୃଷ୍ଣ

(ହସି ହସି) ପ୍ରିୟେ ! ମୁଁ ତୁମ୍ଭଙ୍କୁ ନିମିଷେମାତ୍ର ଭୁଲେ କି ? (ଏହା କହି ଓଷ୍ଠରେ କରଦେଲେ)

ଶ୍ରୀରାଧା

ପ୍ରାଣନାଥ ! ତୁମ୍ଭ ମୁଖଚନ୍ଦ୍ରମାଟି ଅଦର୍ଶନ ହେତୁ ଚାତକିନୀ ପରି ବସି ରହିଥିଲି ।

 

 

(ଏହା କହି ଆଲିଙ୍ଗନ କଲେ ଓ ମାଳା ଦାନ)

ଶ୍ରୀକୃଷ୍ଣ

ପ୍ରିୟେ ! ଏହି ଅନୁକମ୍ପା ମୋର ଏକ ଲୋଡ଼ା

 

 

(ପ୍ରତି ଆଲିଙ୍ଗନ ବିଧାନ କରି ମାଳାଦାନ କଲେ)

ଲଳିତା

ଆହା ! ନିକୁଞ୍ଜ ରାଜାରାଣୀଙ୍କ ମିଳନ ମାଧୁରୀ ଆଜି କି ମନୋହର ? ଦାସୀର ଏହି ଫୁଲହାରଟି ଘେନ ।

 

 

(ମଲ୍ଲୀହାରଟିଏ ଦୁହିଁଙ୍କ ଗଳାରେ ଦେଲେ)

ସମସ୍ତେ

(ସେହିପରି ଗୋଟିଏ ଗୋଟିଏ ଫୁଲମାଳା ଦୁହିଁଙ୍କ ଗଳେ ଦେଲେ)

ବିଶାଖା

(ଯୁଗଳ ଶ୍ରୀଅଙ୍ଗରେ ଚନ୍ଦନ ଲେପିଲେ)

ଲଳିତା

(ବିଡ଼ିଆ ଲାଗି କରାଇ ଦେଲେ)

ରଙ୍ଗଦେବୀ

(ଯୁଗଳ ଚରଣରେ ଅଳତା ଲିହିଲେ)

ସମସ୍ତେ

(ଫୁଲ ଆଲଟ ଚାମରଧରି ବିଞ୍ଚିଲେ ଓ ସମସ୍ତରେ ବାଦ୍ୟ ଯନ୍ତ୍ର ସହ ମିଳନ ସଙ୍ଗୀତ ଗାନ ଆରମ୍ଭିଲେ)

ଗୀତ

(ମାଧୁରୀରେ ମାଧୁରୀ ରେ ମାଧୁରୀ ବୃତ୍ତେ)

କିଶୋଭା ଏ ବୃନ୍ଦାବନ, ସଖି ! ମଧୁର ବୃନ୍ଦାବନ ।

ଶ୍ରୀରାଧା ଗୋବିନ୍ଦ ଠାଣି ଯୁଗଳ ମିଳନ ।ଘୋଷା ।

ଗୋଲୋକ ସାର ସମ୍ପତ୍ତି ଭୁବନ ମୋହନ ।

ହସେ ହାସ ମିଶା ମିଶି ନୟନେ ନୟନ ।୧।

ବନମାଳୀ ବୈଜୟନ୍ତି ମୋତି ହାର ମାନ ।

ଦୁହିଁଙ୍କ ଗଳାକୁ ଦିଶୁଅଛି କି ଯତନ ।୨।

ଶିଖିଚୂଳ ପୁଲଭରା ଆହା କି ଶୋଭନ ।

ଗଣ୍ଡେ ଗଣ୍ଡେ ମଣ୍ଡନ ଗୋ ମଧୁର ଚୁମ୍ଭନ ।୩।

ଯୁଗଳ କରେ ମୁରଲୀ ଅପୂର୍ବ ଘଟନ ।

ଧନ୍ୟ ଧନ୍ୟ ଆମ୍ଭ ପୁଣ୍ୟ ଧନ୍ୟ ଏ ନୟନ ।୪।

(ସମସ୍ତଙ୍କ ମଧୁର ନୃତ୍ୟ)

ବୃନ୍ଦା

(ନେପଥ୍ୟରୁ ପ୍ରବେଶ ପୂର୍ବକ) ବାଃ ବାଃ ବେଶ୍ ବେଶ୍ ।

ଶ୍ରୀକୃଷ୍ଣ

କି ବୃନ୍ଦେ ! ଆସ, ଆସ ।

ବୃନ୍ଦା

ଭାବବିନୋଦିଆ ହେ ! ଏ ଭାବ କେମିତି ମଧୁର ?

ଶ୍ରୀକୃଷ୍ଣ

ବେଶ୍ ବେଶ୍, ବୃନ୍ଦେ ! ତୁମ୍ଭ ଯୋଗେ ସୁସମୟରେ ଭାବାମୟୀ ରାଧାକୁ ପାଇ ସୁଖ ସିନ୍ଧୁ ରେ ଭାସୁଛି ।

ବୃନ୍ଦା

ତେବେ ବୃନ୍ଦାର ମଧ୍ୟସ୍ଥି ପାଉଣାଟା ହିସାବ କରି ମିଟେଇ ଦିଅ ?

ଶ୍ରୀକୃଷ୍ଣ

ବୃନ୍ଦେ ! ତୁମକୁ ମୁଁ ଆଉ କଣ ଦେଇ ପାରିବି ? ଏ ହୃଦୟ ସହିତେତ ଦେଇ ସାରିଚି, ଦେବା ପାଇଁ ଆଉ କଣ ବାକି ଅଛି ?

ବୃନ୍ଦା

କଣ କହିଲା ଶ୍ୟାମ ! ଆଉ କଣ ବାକି ଅଛି କହୁଛ ? ହଇହେ ! ଶଠ ମୁକୁଟ ! ଆଉ କିଛି ନାହିଁ ? ତମକୁ ଅଭାବ, କଅଣ ଯେ ଏପରି କହିଲ ? ତୁମେ ପରା ରାଜପୁତ୍ର ? ତୁମ ପାଖରେ ଯାହା ଯାହା ଅଛି, ଏ ତ୍ରିଭୁବନ ତାହା ଅଛି କି କହିଲ ଦେଖି ? ତୁମେ ପରା ରାଜ ପୁତ୍ର ? ତୁମଭଳି ପୀତପଟ୍ଟ କିଏ ପିନ୍ଧିଚି ? ତୁମ ଚୂଳ ପରି ତ୍ରୀମୁଣ୍ଡି ଶିଖିପୁଚ୍ଛ ଚୂଳ କାହାର ଅଛି ? ତୁମ ହାଥରେ ଯେଉଁ ଘରବୁଡ଼ା କୁଳ ଛଡ଼ା ମୁରଲୀଟି ଧରିଚି, ଏପରି ବଂଶୀ କା ହାତରେ ରେ ଅଛି-? କହି ବସିଲେ ଗୋଟିଏ ପୋଥି ହେବ, ହଇ ହେ ! ତୁମ୍ଭେ ଏ ଭଳି ଠକ ପୁରୁଷ ? ଦିଅ; ଦିଅ ଏ ବୃନ୍ଦାବତିର ପୁରସ୍କାରଟା ଚଞ୍ଚଳ ଦିଅ, ଭଣ୍ଡାଭଣ୍ଡିରେ ଦରକାର ନାଇଁ ।

ଶ୍ରୀକୃଷ୍ଣ

ବୃନ୍ଦେ ! ତୁମେ ଯାହା କହିଲ, ପୀତାଧଡ଼ା, ମୋହନ ଚୂଡ଼ା, ମୋହନବଂଶୀ କଥା ? ସେଥିରେ ମୋର ଅଧିକାର ଅଛି କି ? ତାହା ସବୁ ପରା ତୁମେମାନେ ରାଈ ରଜାହେବ ଦିନ ମୋ ଠାରୁ ଛଡ଼ାଇ ନେଇ ରାଧାଙ୍କ ଜିମା କରି ଦେଇଥିଲ, ମୁଁ ମାଗିଆଣି ବ୍ୟବହାର କରୁଚି, ମୋର ସେ ସବୁ ଦ୍ରବ୍ୟରେ ଅଧିକାର ଆଉ କେଉଁଠି ? କେବଳ ଗୋଟିଏ ଜିନିଷ "ମୋର" ଅଛି ସତ୍ୟ ? ତାହା, ତ ମଧ୍ୟ ତୁମ୍ଭମାନଙ୍କୁ ଅନେକ ଦିନରୁ ମୋ ମନେ ମନେ ଦେଇ ସାରିଛି ।

ବୃନ୍ଦା

(ହସି ହସି) ସେ ଜିନିସଟି କଣ କଳାକାହ୍ନୁ ।

ଶ୍ରୀକୃଷ୍ଣ

ୟା କଅଣ ତୁମେ ଜାଣି ନାହଁ । ନିଜେ ମୁଁ ।

ବୃନ୍ଦା

ତା' ହେଲେ କଣ ତୁମେ ଆମ ମାନଙ୍କର ?

ଶ୍ରୀକୃଷ୍ଣ

ନିଶ୍ଚୟ ।

ବୃନ୍ଦା

(ହସିକରି) କି କହୁଚ, ଏତେଦୂର ? ଏକଥା ସତ ନ ମିଛ ?

ଶ୍ରୀକୃଷ୍ଣ

କାହିଁକି ବୃନ୍ଦେ ! ତୁମର ବିଶ୍ୱାସ ହେଉ ନାହିଁ ?

ବୃନ୍ଦା

କେମିତି ବିଶ୍ୱାସ ହେବ କୃଷ୍ଣ ! ତୁମେ ଯେ ପୁରୁଷ ଜାତି, ତୁମମାନଙ୍କ ହୃଦୟ ଅତି କଠିନ; ଏତେବେଳେ ସରଳ କଥା କହୁଚ-ପରକ୍ଷଣରେ ଏହି ସରଳଭାବଟି ମହାକୁଟିଳ ହୋଇଯିବ, ଏ ନରମଭାବଟି ଚରମ ହୋଇଯିବ, ଏତେବେଳେ ଜଳପରି ତରଳଭାବଟି ପରେ ପଥର ପରି କଠୋର ରୀତିକି ଅନୁକରଣ କରିବ, ଏହି ଥଣ୍ଡା ସ୍ଵଭାବଟି ସମୟରେ ଦାରୁଣ ଉଗ୍ର ମୂର୍ତ୍ତୀ ଧାରଣ କରିବ । ତୁମର ଚିହ୍ନିବା ସହଜ କି ଶ୍ୟାମ ।

ଗୀତ

ତୁମକୁ ଚିହ୍ନିବା ସହଜ କି ଶ୍ୟାମ,

କେତେ ବେଳେ କେଉଁ ଭାବେ ହୁଅ ଭ୍ରମ ।।

ଶ୍ରୀକୃଷ୍ଣ

କାହିଁକି, ମୁଁ ତୁମମାନଙ୍କ ସଙ୍ଗେ କେବେ ମନ୍ଦ ବ୍ୟବହାର କରିଚି କି ବୃୄନ୍ଦେ

(ପୂର୍ବଗୀତାଂଶ)

ଜଟି ଦେଇ ତୁମେ କଥାରେ କଥାରେ

ଧରାଇ ଦିଅ ଆକାଶ ଚାନ୍ଦ କରେ,

 

ଆମେ ମାନେ ସେ ମରମ କୁ ନା ବୁଝୁ,

ଭୁଲି ଯାଉଁ ତୁମ ମୋହନରୁପରେ ।୧।

ଶ୍ରୀକୃଷ୍ଣ

କଣ କହିଲା ବୃୄନ୍ଦେ ? କଣ, କଣ ?

(ପୂର୍ବଗୀତାଂଶ)

କେତେ ପ୍ରେମ ଜାଣ ହେ ନଟ ନାଗର,

ରସରେ ରାସାଇ ପରା ହେ ଅପାର,

ଶେଷର କରାଇ ବଡ଼ ନାରଖାର,

ଏହି ବାହାଦୂରି ଅଛି ତୁମ୍ଭଠାରେ ।୨।

ଶ୍ରୀକୃଷ୍ଣ

କାହିଁକି ବୃନ୍ଦେ ! ମୁଁ କଅଣ ଏଡ଼େ ଅବିଶ୍ୱାସୀ ? ତେବେ ମୋତେ କଅଣ ତୁମେମାନେ ଆଦୌ ବିଶ୍ୱାସ କରନାହିଁ ?

ବୃନ୍ଦା

କେମିତି ବିଶ୍ୱାସ କରିବୁ କହିଲା ଦେଖି ? ମନୁଷ୍ୟକୁ ମନୁଷ୍ୟ ବିଶ୍ୱାସ କରେ କେବଳ ବଚନରେ ତୁମର ଗୋଟିଏ କଥାର ଠିକ୍ ମରାମତ ପାଇଲୁ ନାହିଁ, ତୁମେ ମୁଖରେ ଯାହା କହ, କାର୍ଯ୍ୟରେ ତାହାର ବିପରୀତ କର । ଏଇଟା ତମ ପୁରୁଷସ୍ଵଭବ । ଯେତେବେଳେ ଯାଏଁ ପାଖରେ ଥାଅ ତେତେବେଳ ଯାଏଁ ଆପଣାର ହୋଇଥାଅ, ପାଖରୁ ଅନ୍ତର ହେଲେ ତୁମପରି ତୁମେ ।

ଶ୍ରୀକୃଷ୍ଣ

କିପରି ?

ବୃନ୍ଦା

ଏକାବେଳେ ମନରୁ ସବୁ ପାଶୋରି ପକାଅ । ତୁମ ପୁରୁଷ ଜାତିର ଏକ ବିପରୀତ ଧାରାଟି ଅଛି ।

ଶ୍ରୀକୃଷ୍ଣ

ବିପରୀତ ଧାରା କିପରି ହେଲା ?

ବୃନ୍ଦା

ତେବେ କହୁଚି ଶୁଣ :–

 

 

"ବିଶ୍ୱାସ କଲେଟି ପରା ପୁରୁଷେ,

 

 

ଅକାରଣେ ପ୍ରାଣ ଯାଏଟି ଶେଷେ"

ଶ୍ରୀକୃଷ୍ଣ

ଓଃ ତୁମେମାନେ ଜାଣିବାରେ ମୁଁ ତୁମ ମାନଙ୍କ ପ୍ରାଣରେ ମାରି ପକାଇବାକୁ ଚେଷ୍ଟା କରେଁ ?

ବୃନ୍ଦା

ଏଇତି ପେଇଁ କହନ୍ତି ଗଉଡ଼ ମୂର୍ଖ, ହଇ ହେ ! ପ୍ରାଣରେ କଲ କଲ କରେଇବା ଠାରୁ ଏକାବେଳେ ମାରି ଦେବା ଟା କଣ ବଡ଼ କି ? ତୁମ ପ୍ରେମର ଏ ଲକ୍ଷଣ ଅଛି ଯେ; ତାହା ଲୋହକାର ଷଣ୍ଢୁଆସି ପରି, ନିଆଁରେ ତତେଇ ପାଣିରେ ବୁଡ଼ାଇ ସେ ଯେପରି କଲବଲ କରାଏ, ତୁମ ରୀତି ଗତି ଠିକ୍ ତାହା ତୁମେତ ଗୋରୁ ଚୋରାଇବା ଲୋକ, ପ୍ରେମର କଥା ତୁମେ କଅଣ ବୁଝିବ ?

ଶ୍ରୀକୃଷ୍ଣ

ତାହା ହେଲେ ବୋଧହୁଏ ତୁମର ମନେ ଧାରଣା କରିଚ ଯେ ମୁଁ ଗାଈ ଚରେଇବା ଲୋକ, କେବଳ ଗାଈ ଚରାଇ ଜାଣେ ପ୍ରେମର କିଛି ଧାର ଧାରେ ନାଇଁ ?

ବୃନ୍ଦା

ନିଶ୍ଚୟ ! ପ୍ରେମର ତତ୍ତ୍ଵ ତୁମେ କଣ ବୁଝିବ ? ତୁମେ କେବଳ ଚୋରି କରି ଜାଣ, ଆଉ ଗାଈ ପଛରେ ଗୋଡ଼ାଇ ଜାଣ । ଆଉ ପ୍ରେମ କଥା କଣ ଜାଣିବ ?

ଗୀତ

 

 

ପ୍ରେମତତ୍ତ୍ଵ ତୁମେ କିସ ଜାଣିବ ହେ ହଟିଆ ନାଗର ହରି ।

 

 

କ୍ଷୁଧାବେଳେ ଖାଦ୍ୟ ସୁଧାରୁ ସୁଆଦ ଲଦେ ସିନା ବଂଶୀଧାରୀ ।

 

 

ଅସମୟ ହେଲେ କି ହେବ ଆଉ, ସମୟରେ ଲୋଡ଼ା ନୁହଇ ଯେହୁ ।୧।

 

 

ଯେତେବେଳେ ଯାର ନିକଟରେ ଥାଅ ତାକୁ ଦେଖି ଆପଣାର ।

 

 

କାର୍ଯ୍ୟ ସରିଗଲେ ଆଉ କେତେ ପଚାରେ କରିଦିଅ ସାତପର ।

 

 

ମନେ ହେଜ ଘନଶ୍ୟାମସୁନ୍ଦର ! ସତ କି ମିଛ ମୁଁ କହିବାଗର ।୨।

ଶ୍ରୀକୃଷ୍ଣ

ଏତେ ଅବିଶ୍ୱାସ ଯଦି, ତେବେ ଆଗେ ନ ବୁଝି, ନା ବିଚାର ପରିଣାମ ନା ଭାବି ମୋତେ ଏ ଭଳି ମଜ୍ଜେଇଲ କାହିଁକି ?

ବୃନ୍ଦା

କପାଳ ୟା ଶୁଣେଇଲା, ଆମେମାନେ ତୁମକୁ ମଜ୍ଜେଇଲୁଁ, ନା, ତୁମେ ଆମମାନଙ୍କୁ ମଜ୍ଜେଇଲ ? ଜାତି, କୁଳ, ମାନ, ମହତ୍ୱ ସବୁ ଲୁଟି କରି ନେଲ, ପାଲଟାବସନ ଚୋରି କରି ନେଇ କଦମ୍ବ ଡାଳରେ ଉଠି ରଙ୍ଗ ଦେଖିଲ, ଭାଣ୍ଡମାନ ଭଙ୍ଗିସର, ଲବଣୀ ଚୋରେଇ ଖାଇଲ, କହୁଚ କଣ ନା ଆମେ ମନେ ମଜେଇଲୁଁ ? ମଜ୍ଜେଇଲ ଏକା ତମେ, ଶେଷରେ ପୁଣି ଓଲଟି କହୁଚ ଆମମାନଙ୍କୁ ? କଅଣ ନାରୀ ଦେଖି ରହସ୍ୟ ଲୁଚେଇଚ ?

ଶ୍ରୀକୃଷ୍ଣ

ଏବେ ଏ ସବୁ ବାଜେ କଥା ଛାଡ଼ି ଅସଲ କଥା କହ;

ବୃନ୍ଦା

ଅସଲ କଥା କଅଣ ଶ୍ୟାମ !

ଶ୍ରୀକୃଷ୍ଣ

ପ୍ରେମର କଥା

ବୃନ୍ଦା

ତୁମ ପାଖରେ ଆଉ ପ୍ରେମକଥା କହିବି କଅଣ ?

 

 

ତୁମେ କି ପ୍ରେମର କଦର ବୁଝିଚ ନା ସୁଝିଚ ଯେ, ପ୍ରେମ କଥା କହିବି ? ତୁମ ହୃଦୟରେ କଣ ପ୍ରେମର ଚିହ୍ନ ଅଛି ? କେବଳ ଯୁବତୀମାନଙ୍କ ହତାଦର କରି ଜାଣ । ଯେ କି ପ୍ରେମ କିଭଳି ଜିନିଷ ତା ବୁଝାଇ ନାହିଁ କି ଶିଖାଇ ନାହିଁ, ତା ପରି ଅପ୍ରେମିକ ପାଖରେ ପ୍ରେମକଥା କହିବା ଏକଦମ ନିଷେଧ ।

ଗୀତ

ପ୍ରେମ କଥା କହିବାକୁ ମୋତେ ଅଛି ମନା ।

ତୁମ ଭଳି ଅପ୍ରେମିକ ପାଶେ ଆହେ କାହ୍ନୁ ।।

ରାଧାନାଥ ବୋଲି ଆଉ ଡାକିବୁଁ ନାହିଁ ।

ସବୁ ଜଣା ଯାଇଅଛି ହେ କଳା କହ୍ନାଇ ।।

ଏବେ ଶୁଣି ମୋର ଭାଷ ଯାଅ ଯାଅ ଚଳି ।

ଚନ୍ଦ୍ରା ଚନ୍ଦ୍ରମୁଖି ପାଶେ ଆହେ ବନମାଳି ।।

ସେହି ସିନା ଜାଣେ ପ୍ରେମ ମଉଜ,

ଲେଖାରେ ତୁମ୍ଭର ଯେଣୁ ଭାଉଜ, (ସେହିସିନା)

ଯାଅ ତା ନିକଟେ ରସିକ ରାଜ (ସେହି ସିନା)

ଗୋପନେ ତା କୁଞ୍ଜେ ନିଶି ବଞ୍ଚିବ ହେ ସୁଖେ ।

ଛାଡ଼ି ଏ କୁଞ୍ଜର ସୀମା ଲାଜ ନାହିଁ କି ମୁଖେ ।

ହେ ଶଠ ମାନଙ୍କୁ ଗୁରୁ ଲମ୍ପଟ ହଟିଆ ।

ତୁମ ସଂଗେ କାର୍ଯ୍ୟ ନାହିଁ ନୁହ ଏଥି ଠିଆ ।

କେତେ ଥର ପରା ପଡ଼ିଛି ଚିହ୍ନା ।

ଚନ୍ଦ୍ରାବଳି କୋଳେ କାଳିଆ ସୁନା । (କେତେଥର)

ଯାଅ ସେ ସଢ଼ୁଥିବ ତୁମ ବିନା (କେତେଥର)

ଆମ ରାଧାଙ୍କୁ କନ୍ଦାଇ ମାର ନା (କେତେ ଥର)

ଶ୍ରୀକୃଷ୍ଣ

ଡାକି ଆଣି କଣ ଶେଷରେ ଅପମାନ ? ତେବେ ଯାଉଚି (ଗମନୋଦ୍ୟତ)

ବୃନ୍ଦା

(ହାତ ଧରି ପକାଇ) ଛି ଛି ଶ୍ୟାମ ! ତୁମକୁ କଣ ରସବୋଧ ନାହିଁ କି ? ଛଳକଥା ପଦେ ସହିପାରୁ ନାଅ ? କହିବା ମାତ୍ରେ ପଳାଇ ଯାଉଛ ? ହଇ ହେ ତୁମଠେଇ ଏତେ ରାଗ ଅଛି ଟି ? ହେଉ ହେଉ ସବୁ ଜଣାଗଲାଣି, କହୁଁ କହୁଁ ଏ ବୃନ୍ଦା କଅଣଗୁଡ଼ାଏ କହି ପକାଇଛି ସିନା । ଏ ଭୁଲଟା ଧରିବା ତୁମେ ପକ୍ଷେ କଣ ଉଚିତ ? ନାରୀଜାତି ପରା ଆମେମାନେ, ଆମମାନଙ୍କ କଥାକୁ ଧରି ବସିଲେ ଚାଲିବ କି ? ତୁମେ ପରା କ୍ଷମାନିଧି ! ସସସ୍ରେ ଦୋଷ କଲେ ମଧ୍ୟ କ୍ଷମା ଦେଇ ପାର ? ଏଇ ସାମାନ୍ୟ ଛଳ କଥାକୁ ତୁମର ବୋଧା ବୋଧ ଜ୍ଞାନ ହୋଇ ପାରୁ ନାହିଁ ? ଯଦି ବେଶୀ କିଛି ତୁମ ମନରେ ଦୁଃଖ ହୋଇ ଥାଏ, ତେବେ ମାଫ୍ କର । ପ୍ରେମ ଶିକ୍ଷାତ ଦିନେ ଓଳିଏ ନୁହେଁ, ପୁଣି ପ୍ରତିଶୋଧ ନେବୁଁ ଯେ, ଏବେ ଆସ ଆସ । (ହାତ ଧରି ଟାଣିବା)

 

 

 

ଶ୍ରୀକୃଷ୍ଣ

ବେଶ୍ ମଜାତ ! ତୁମେ ମୋତେ କଅଣ କରି ପାଇଲ ବୁନ୍ଦେ ! କହିଲ ଦେଖି-? ଯିବାକୁ ଛାଡ଼ୁ ନାହଁ, ପୁଣି ଏଠି ରହିଲେ ନାନା କଥା କହି ଜ୍ଵଳାତନ କରୁଚ, ଇଏତ ବଡ଼ ହରକତ ? ହୁଏତ ଛାଡ଼ିଦିଅ ମୁଁ ବାହାରି ଯାଏଁ ନଚେତ୍ ପ୍ରେମ କଥା କହି ମୋତେ ଆନନ୍ଦ ଦିଅ । ଦୁଇ ନାଆରେ ଚଢ଼େଇଦେଇ ହଇରାଣ କରୁଚ କିଆଁ ?

ବୃନ୍ଦା

ହଇରାଣ କଲି କଣ ଶ୍ୟାମ ! ତୁମେ ବୁଝି ନ ପାରି ନିଜେ ନିଜେ ହଇରାଣରେ ପଡ଼ୁଚ, ମୋର ଅଭିଳାଷ ଏଇ ଶୁଣ

ଗୀତ

ରାଧା କୃଷ୍ଣ ଏକାସନେ କର ହେ ବିଜୟ ।

ପ୍ରେମାନନ୍ଦେ ଦେଖିବୁଁ ସେ ଶୋଭା ସଖିଚୟ ।।

ଅଛି ଏହି କାମନା ମୋହର ବହୁଦିନୁ ।

ପୂର୍ଣ୍ଣ କର ତାହା ଏବେ ସେ କାଳିଆ କାହ୍ନୁ ।।

ତେବେ ସବୁ ଦୁଃଖ ଦୂର ହେବ ମୋର ମନୁ ।

ପୁଷ୍ପେ ଶେଯେ ବିଜେ କର ପିତ ନିକ ତନୁ ।।

ଶ୍ରୀକୃଷ୍ଣ

ଵୃନ୍ଦେ ! ଇଏ ଆଉ ବଡ କଥା କଣ ? ରାଧା ଯେ ମୋ ଅଙ୍ଗର ଅଧା, ଦେହର ପ୍ରାଣ, ନାସାର ନିଶ୍ଵାସ, ହସ୍ତର ଆଙ୍ଗୁଳି । ସର୍ବଦା ରାଧା ସଙ୍ଗରେ ତ ମୁଁ ଯୁଗଳ ଭାବରେ ରହିବା ପାଇଁ ଲାଳାୟିତ, କେବଳ ତୁମେମାନେ ବ୍ୟସ୍ତ କରାଅ ବୋଲି ମୁଁ ଡରି ଡରି ରହିଥାଏଁ ଆଚ୍ଛା ପୁନର୍ବାର ଯୁଗଳ ଭାବରେ ରାହୁ ତୁମ ବା ପୂର୍ଣ୍ଣ କରୁଛି ଦେଖ । ଦୂତିକେ ! ରାଧା ନିକଟରେ ମୁଁ କେତେ ଋଣୀ । ଏ ଋଣମଧ୍ୟ ଏ ଜୀବନରେ ପରିଶୋଧ କରି ପାରିବି ନାହିଁ-। ରାଧା ପ୍ରେମ ଋଣରେ ମୁଁ ଚିରକାଳ ବନ୍ଧା ଅଛି ।

ଗୀତ

ରାଧା ପ୍ରେମ ଋଣେ ମୁହଁ ଚିରକାଳ ବନ୍ଧା ।

ଇହକାଳେ ପରକାଳେ ମହାଜନ ରାଧା ।

ମୁହଁ ଖାତକ ତାର (ତେଣୁ)

ଲେଖି ଦେଇ ଅଛି ଋଣ ପତର ।

ଦସ୍ତଖତ କରି ନିଜ ହସ୍ତର । ମୁଁ ଖତକ ତାର ।୧।

ରାଧା ଭାବ ରାଧା ପ୍ରେମ ରାଧା କାନ୍ତି ଧରି ।

ଅନ୍ୟ ଜନ୍ମେ ହେବି ନାହିଁ ଦାଣ୍ଡର ଭିକାରୀ ।

ରାଧା ନାମକୁ ଗାଇ (ବୁଲିବି ମୁଁ)

ଆନନ୍ଦେ ପ୍ରେମ ଡମ୍ଭରୁ ବଳାଇ ଗୋ ।।

(ରାଧା) ନାମକୁ ଗାଈ ।

ଦ୍ୱାରେ ଦ୍ୱାରେ ଭିକ୍ଷା ମାଗିବି ଯାଇଁ ଗୋ । ନାମକୁ ଗାଈ ।୨।

ମନେ ମନେ ସ୍ଥିର କରିଅଛି ବୃନ୍ଦେ ଏହି ତିନି ଅଭିଳାଷ ।

ପୁରଣ ହୋଇବ ଯେତେବେଳେ ଏହା ତେବେ ବା ହେବି ଖଲାସ ।

ରାଧା ଋଣରୁ ସିନା (ମୁକୁଳିବି) ରାଧା ଋଣରୁ ସିନା ।

କହଲି ମରମ ଜାଣ ନବୀନା ଗୋ ।୩।

ବୃନ୍ଦା

ହଇହେ ଚିତ୍ତାଚୋର ! ରାଧା ପ୍ରେମରେ ଯଦି ତୁମ୍ଭେ ଚିରୠଣୀ ଅଛ ବୋଲି ସ୍ୱୀକାର କରୁଚ ? ସମୟ ସମୟରେ ପ୍ରେମମୟୀକି ଦର୍ଶନ ଦେବାକୁ କୁଣ୍ଠିତ ହିଅ ଯେ, ଏ କଣ ପ୍ରତିଶୋଧିନା କଣ ?

ଶ୍ରୀକୃଷ୍ଣ

ବୃନ୍ଦେ ବୁଝି ପାରୁନାହଁ କି ? ଏ ମୋର ସ୍ଵାଭାବ, ମୋ ଭକ୍ତବତ୍ସଲ ନାମର ଏ ଲକ୍ଷଣ । ମୋତେ ଯେ ଯେପରି ଆକୁଳରେ ଡାକେ ମୁଁ ତାକୁ ସେହିପରି ପୁଣି ଆକୁଲିତ ଭାବ ଦିଏଁ କାହିଁକି ନା, ଏଥିରୁ ଉକ୍ତମାନଙ୍କ ମନ ପରୀକ୍ଷା କରୁଥାଏ ବହୁ ଦୁଃଖ ସହ୍ୟକରି ଯଦି ମୋ ଠାରେ ସେହିପରି ମନ ପ୍ରାଣ ସମର୍ପି ଥାଏ । ଶେଷରେ ମୁଁ ତାହାର ସମସ୍ତ ଦୁଃଖ ତାପ ଦୂର କରି ପ୍ରେମାଲିଅଙ୍ଗନ ଦ୍ଵାରା କୋଳେଇ ନିଏ । ରାଧା ଯେ ମୋର ସବୁ ଭକ୍ତଙ୍କର ପରେ ବଡ଼, ମୁଁ ଯଦି ଭକ୍ତାଧୀନ ତେବେ ରାଧାର ମୁଁ କିଭଳି ଅଧୀନ ତାହା ବିବେଚନା କରି ଦେଖତ ଭଲା ?

ବୃନ୍ଦା

ବୁଝିଲି ବୁଝିଲି, ତୁମ୍ଭେ କହିବା ମର୍ମ ସବୁ ବୁଝିଲି । ସେ ଯାହା ହେଉ ଶ୍ୟାମ, ଏବେ ମୋ ଅନୁରୋଧଟା ରକ୍ଷା ହବ କି ନାହିଁ କହିଲ ଦେଖି ?

ଶ୍ରୀକୃଷ୍ଣ

ତୁମ ଅନୁରୋଧ କଣ ?

ବୃନ୍ଦା

ଭୁଲିଗଲ କି ମନୁ ? ଏ କୁସୁମ ଶେଯ କାହିଁକି ହୋଇଛି ?

 

 

 

ଶ୍ରୀକୃଷ୍ଣ

ହଁ ହଁ ତୁମ୍ଭ ଅଭିଳାଷ ପୂର୍ଣ୍ଣ କରୁଚି ଏହିକ୍ଷଣି (ଏହା କହି ଶ୍ରୀରାଧା ପ୍ରତି) ଆସ ପ୍ରେମମୟି ରାଧେ ! ଏ କୁସୁମ ତଳପେ ବସି ମୋର ଅଙ୍କେ, ପୂର୍ଣ୍ଣକର ସଖିଙ୍କର ମନର ବାସନା ।

ଶ୍ରୀରାଧା

ହେଉ ପ୍ରଭୁ ! ଯାହା ଆଜ୍ଞା ହେଉଚି ଶ୍ରୀମୁଖୁଁ, ପାଳିବ ଅବଶ୍ୟ ଦାସୀ ନା କରିଣ ହେଲା

 

 

(ଏହା କହି ପୁଷ୍ପ ଶଯ୍ୟାରେ କୃଷ୍ଣଙ୍କୁ ଆଲିଙ୍ଗନ କରି ବିଜୟ କଲେ)

ଲଳିତା

ସଖି ! ଦେଖଲଣି ଗୋ ନିକୁଞ୍ଜ ଫୁଲ ଶେଯରେ ରାଧା ଗୋବିନ୍ଦ କି ସୁନ୍ଦର ଦିଶୁଛନ୍ତି ?

ଗୀତ

ଚାହାଁରେ ନିକୁଞ୍ଜ ଶେଯକୁ । (ଚାହାଁରେ)

ଜୀବନର ବନ୍ଧୁ ରାଧା ଗୋବିନ୍ଦ ସଜକୁ । ପଦ ।

କେତେ କାଳରୁ ବିରଞ୍ଚି, ବାଛି ରଖିଥିଲା ସଞ୍ଚି ।

ସଂସାରସାର ସୁଷମା ସମ୍ପତ୍ତି ବ୍ରଜକୁ ।୧।

ସୁମନ ତଲ୍ପ ସରରେ, କରି ପରମ ତୋଷରେ ।

ଧରିଲା ପରି ଦିଶୁଛି ସୁନା ପଙ୍କଜକୁ ।୨।

ହେଉ ଚାରି ଆଖି ଏକ, ହସୁ ପ୍ରିୟ ଶ୍ରୀ ରାଧିକା ।

କାନ୍ତ କରେ ଲୁଚାଇଛି ଲୋଚନ ଲାଜକୁ । ୩ ।

ଅଚଳଚପଳା ହୃଦେ, ବହି ଘେନି ହେଲା ଉଦେ ।

ଉଚ୍ଛନ୍ନ ଦଶା ପଡ଼ିବ ମକର ଧ୍ୱଜକୁ ।୪।

ଏ ବ୍ରଜରେ ଆଖି ବହି, ଥିବା ଜନଙ୍କର ସହି ।

ଜନ୍ମାନ୍ତର ପୁଣ୍ୟଫଳ ଘଟିଛି ଆଜକୁ ।

 

 

(୰ଗୋପାଳ କୃଷ୍ଣ)

 

 

(ସଖିଗଣ ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ବୋଲି ଗାନ କଲେ ଓ ପ୍ରେମଭରେ ନୃତ୍ୟ କରିବା ସମୟେ)

ପରଦା ପତନ

ଇତି ଶ୍ରୀ ମିଳନ ମାଧୁରୀ ଅଭିନୟ ସମ୍ପୂର୍ଣ୍ଣ

Image